ଏ.କେ ବ୍ୟୁରୋ : ହଁ ଦର୍ଶକ ବନ୍ଧୁ ଆମେ କହୁଛୁ କଟକ ବଡ଼ ମେଡିକାଲ କଥା
ଏସସିବି ମେଡିକାଲ କର୍ମଚାରୀଙ୍କ ଟିଏ, ଡିଏ, ଛୁଟି ଭତ୍ତା(ଲିଭ୍ ସାଲାରି) ଆଦି ସରକାରୀ ସହାୟତା ବାବଦ ୧ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍ ହୋଇଛି ବୋଲି ଖବର ମିଳିଛି । ଏହି କେଳେଙ୍କାରୀ ଅଡିଟରେ ଧରାପଡ଼ିବା ପରେ ଏସସିବିରେ ଚହଳ ପଡ଼ିଛି। ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ଆକାଉଣ୍ଟ ସେକ୍ସନ ଅଡୁଆରେ ପଡ଼ିଛି। ଅଡିଟ ରିପୋର୍ଟକୁ ଆଧାର କରି ମେଡିକାଲ ଅଧ୍ୟକ୍ଷ ପ୍ରଫେସର ଡା. ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ ମଙ୍ଗଳାବାଗ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଗୁରୁବାର ରାତିରେ ପୁଲିସର ଏକ ସ୍ଵତନ୍ତ୍ର ଟିମ୍ ଆକାଉଣ୍ଟ ସେକ୍ସନରେ ଚଢ଼ଉ କରି ଛାନଭିନ୍ ଚଳାଇଛି। ଆକାଉଣ୍ଟ ସେକ୍ସନର କର୍ମଚାରୀଙ୍କୁ ପୁଲିସ ଛୁଟି ଦିନେ ଘରୁ ଡକାଇ ଆର୍ଥିକ ସଂକ୍ରାନ୍ତ ଫାଇଲ୍, ବ୍ୟାଙ୍କରେ କାରବାର ହେଉଥିବା ଆର୍ଥିକ ସଂକ୍ରାନ୍ତୀୟ କାଗଜପତ୍ର, ପାସ୍ ବହି ସମେତ କମ୍ପ୍ୟୁଟରରୁ ବହୁ ତଥ୍ୟ ଜବତ କରିଛି। କ୍ୟାସିୟର, କ୍ଲର୍କ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମାରାଥନ ଜେରା ଚଳାଇଛି। ଟଙ୍କା ଆତ୍ମସାତ୍ କରିବା ମାମଲାରେ ଘରୋଇ ଠିକା ସଂସ୍ଥା ଦ୍ଵାରା ନିୟୋଜିତ ଡାଟା ଏଣ୍ଟ୍ରି ଅପରେଟର ଦିନେଶ ରାଉତ(ଟୁବୁ)କୁ ପୁଲିସ ଉଠାଇ ନେଇଛି। ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି। ତା’ର ଆକାଉଣ୍ଟକୁ ପୁଲିସ ଫ୍ରିଜ୍ କରିବା ପାଇଁ ବ୍ୟାଙ୍କକୁ ଲେଖିଛି। ଗତ ୧୦ ବର୍ଷ ଭିତରେ ତା’ର ଆକାଉଣ୍ଟକୁ କେଉଁ ସୂତ୍ରରୁ ଅର୍ଥ ଆସି ଜମା ହେଉଥିଲା ଏବଂ ଅନ୍ୟ କେଉଁ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ସେସବୁ ପୁଲିସ ଖୋଳତାଡ଼ ଚଳାଇଛି।
ସେହିପରି ଜଣେ କ୍ୟାସିୟର ଓ କ୍ଲର୍କକୁ ମିଶାଇ ଦୁଇ ଜଣଙ୍କୁ ପୁଲିସ ଅଟକ ରଖି ଜେରା ଚଳାଇଛି। ସରକାରୀ ଅର୍ଥ ଆତ୍ମସାତ୍ କରିବା ଅଭିଯୋଗରେ ଅଭିଯୁକ୍ତ ଠିକା କର୍ମଚାରୀ ଦାନେଶକୁ ଅଧ୍ୟକ୍ଷ ବହିଷ୍କାର କରିଥିବା ସୂଚନା ମିଳିଛି।ଅଭିଯୁକ୍ତ ଦିନେଶ ଏକ ଘରୋଇ ସଂସ୍ଥା ଦ୍ଵାରା ନିୟୋଜିତ ହୋଇଥିଲେ ହେଁ ମେଡିକାଲର ସବୁଠୁ ଗୁରୁତ୍ଵପୂର୍ଣ୍ଣ ଯଥା ଆକାଉଣ୍ଟ ସେକ୍ସନରେ ଆର୍ଥିକ ବ୍ୟାପାର କାର୍ଯ୍ୟ କରୁଥିଲା। ୨୦୧୫-୧୬ ଆର୍ଥିକ ବର୍ଷରୁ ସେ ଏଠାରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରିବା ମଧ୍ୟରେ ପାଖାପାଖି ଦେଢ଼ କୋଟି ଟଙ୍କା ଆତ୍ମସାତ୍ ହୋଇଥିବାର ଅଡିଟ ରୁ ଧରାପଡ଼ିଛି। ଏହି ଆର୍ଥିକ କେଳେଙ୍କାରୀରେ ଆକାଉଣ୍ଟ ସେକ୍ସନର ଅନ୍ୟ କର୍ମଚାରୀମାନେ ବି ସମ୍ପୃକ୍ତ ଥିବା ଜଣାଯାଇଛି। ଏହା ପୂର୍ବରୁ ଏସସିବି ଆକାଉଣ୍ଟ ସେକ୍ସନର ପୂର୍ବତନ କନିଷ୍ଠ କିରାଣି ତଥା ଅଭିଯୁକ୍ତ ଦୀନେଶର ବାପା ଦିଲ୍ଲୀପ କୁମାର ରାଉତଙ୍କୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବାନ୍ଧିଥିଲା।
ଦୁର୍ନୀତି ଅଭିଯୋଗରେ ପୂର୍ବରୁ ବାପା ଗିରଫ ହୋଇଥିବା ବେଳେ ତାଙ୍କ ପୁଅକୁ କିପରି ଏସସିବିରେ ଠିକା ସଂସ୍ଥା ମାଧ୍ୟମରେ ଆକାଉଣ୍ଟ ସେକ୍ସନରେ ନିୟୋଜିତ କରାଯାଇ ଟିଏ, ଡିଏ ଏବଂ ଛୁଟି ବିଲ୍ ଆଦି ପ୍ରସ୍ତୁତ ଦାୟିତ୍ଵ ମିଳିଥିଲା ତାହା ଚର୍ଚ୍ଚାର ବିଷୟ ହୋଇଛି। କର୍ମଚାରୀଙ୍କ ପାଇଁ ବିଭିନ୍ନ ସମୟରେ ମଞ୍ଜୁର ହେଉଥିବା ଲକ୍ଷାଧିକ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ପଠାଇବା ବଦଳରେ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ତଞ୍ଚକତା କରି ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ନେଇଥିଲା ବୋଲି ଧରାପଡ଼ିଛି।ଦୀର୍ଘ ୧୦ ବର୍ଷରୁ ଅଧିକ ହେବ ଏହି ଅନିୟମିତତା ମେଡିକାଲର ଆକାଉଣ୍ଟ ସେକ୍ସନରେ ଚାଲୁଥିଲେ ସୁଦ୍ଧା କିପରି ବିଭାଗୀୟ ଅଧିକାରୀ, ପ୍ରଶାସନିକ ଅଧିକାରୀ ଓ ଅଧ୍ୟକ୍ଷ ଆଦି ଜାଣିପାରିଲେ ନାହିଁ ତାହା ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ଉକ୍ତ ଘଟଣାର ତଦନ୍ତ କରୁଥିବାରୁ ଡାଟା ଏଣ୍ଟ୍ରି ଅପରେଟର ପରେ ଆଉ କେତେକ କର୍ମଚାରୀ ଏବେ ସ୍କାନରକୁ ଆସିଛନ୍ତି। ତେଣୁ ଗିରଫଦାରୀ ସଂଖ୍ୟା ଆଗକୁ ଆହୁରି ବଢ଼ିବାର ସମ୍ଭାବନା ରହିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ମେଡିକାଲ ପକ୍ଷରୁ ପ୍ରଶାସନିକ ସ୍ତରରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ଅଧ୍ୟକ୍ଷକ ପ୍ରଫେସର ଚୌଧୁରୀ ସୂଚନା ଦେଇଛନ୍ତି।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକଙ୍କ ରିପୋର୍ଟ ଆପଣଙ୍କ ଖବର






