ଏ.କେ ବ୍ୟୁରୋ : ପ୍ରବଳ ବର୍ଷାରେ ଅଇଁଶିଆ – ଡ଼ିମିରିଆ ଚତରାନାଳରେ ବନ୍ଧ ଭାଙ୍ଗି ୫୦ ଫୁଟର ଘାଇ, ହଜାରରୁ ଅଧିକ ହେକ୍ଟର ଚାଷ ଜମି ଜଳମଗ୍ନ, ଅଇଁଶିଆ ନାଳରେ ୫ ଟି ଘାଇ ପ୍ରବଳ ବର୍ଷାରେ ଚତରାନାଳରେ ବନ୍ଧ ଭାଙ୍ଗି ପ୍ରାୟ ୫୦ ଫୁଟର ବିରାଟ ଘାଇ ସୃଷ୍ଟି ହେବା ସହ ଅଇଁଶିଆ ନାଳରେ ମଧ୍ୟ ବନ୍ଧ ଭାଙ୍ଗି ୫ ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି।

ଯାହା ନିମସାହି,କୋକୋଳବା,ନୂଆପାଟଣା, କାଠଖୁଣ୍ଟ 4 ଟି ପଞ୍ଚାୟତ ର 1 ହଜାର ରୁ ଅଧିକ ଏକର ଜମିରେ ଚାଷ ହୋଇଥିବା ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି। ସୂଚନା ରୁ ପ୍ରକାଶ ଯେ ଅଇଁଶିଆ – ଡ଼ିମିରିଆ ମଝିରେ ଚତରାନାଳରେ ବିରାଟ ଘାଇ ସୃଷ୍ଟି ହୋଇଛି ସେହିପରି ଚତରାନାଳକୁ ଲାଗି ଯାଇଥିବା ଆଉ ଏକ ନାଳ ଅଇଁଶିଆ ନାଳରେ ଗୋଟିଏ ସ୍ଥାନରେ ପ୍ରାୟ ପ୍ରାୟ ୨୦ ଫୁଟର ଘାଇ ସୃଷ୍ଟି ହେବା ସହ ୫ ଟି ସ୍ଥାନରେ ଛୋଟବଡ଼ ଘାଇ ସୃଷ୍ଟି ହୋଇଛି। ଯାହା ଫଳରେ ଆଇଁଶିଆ ବାଟିକିଆ କିଆରୀ, ପଡିଆ ଭଙ୍ଗା ଗହୀରରେ ଶହ ଶହ ଏକର ଚାଷଜମି ଜଳମଗ୍ନ ହେବା ସହ ସହ ଧାନ ଗଛ ସବୁ ଜମିରେ ବୁଡିକି ରହିଛି, ଯାହା ଫଳରେ ଧାନ ଗଛ ସବୁ ନଷ୍ଟ ହେଲାଣି। ଉଭୟ ଚତରାନାଳ ଓ ଆଇଁଶିଆ ନାଳ ବନ୍ଧ ଭାଙ୍ଗି ଯିବା ଫଳରେ ନୂଆପାଟଣା ପଞ୍ଚାୟତର ଡ଼ିମିରିଆ ଗହୀର, ନିମସାହି ପଞ୍ଚାୟତର ନିମସାହି, ଆଇଁଶିଆ, କୋକୋଳବା ଓ କାଠଖୁଣ୍ଟ ପଞ୍ଚାୟତର କୋକୋଳବା, ପୁରୁଷୋତ୍ତମପୁର,ହଇରାଣପୁର ଆଦି ବିଭିନ୍ନ ଅଞ୍ଚଳର ପ୍ରାୟ ୫ଶହରୁ ଏକ ହଜାର ଏକର ଚାଷଜମି ପାଣିରେ ବୁଡି ରହିଛି। କେତେକ ସ୍ଥାନରେ ବାଲିଚର ହେବା ସହ ଧାନ ଗଛ ଉପରେ ଆଣ୍ଠିଏ ଉଚ୍ଚରେ ପାଣି ଜମି ରହିଥିବାରୁ ଧାନ ଗଛ ନଷ୍ଟ ହେଲାଣି। ଖବର ପାଇ ସୋମବାର ଡ଼ିମିରିଆ ଗହୀରରେ ତହସିଲଦାର ଅମ୍ରିତା ସାହୁ, ବିଡ଼ିଓ ପ୍ରଳୟାନନ୍ଦ ଶତପଥୀ, ଯୁବ ବିଜୁ ତନତା ଦଳର ବ୍ଲକ ସଭାପତି ନିର୍ମଳ କୁମାର ଜେନା, ଅଇଁଶିଆ ଗହୀର ପରେ ପ୍ରାକ୍ତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ବ୍ଲକ ଉପାଧ୍ୟକ୍ଷ ନାରାୟଣ ନାୟକଙ୍କ ସହିତ ବିଭାଗୀୟ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିଛନ୍ତି।






