ଏ.କେ ବ୍ୟୁରୋ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଯୋଗିନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଉଡିଆଗୁଟ ଗ୍ରାମରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁ ବୟସରେ ପିଲାଟି ସ୍କୁଲରେ ପଢିବା କଥା, ସେହି ୧୨ ବର୍ଷର ବାଳକଟି ବର୍ଷାରେ ଭିଜି ଭିଜି ସାଇକେଲରେ ବୁଲି ବୁଲି ପାଉଁରୁଟି ବିକ୍ରି କରୁଛି। ପ୍ରବଳ ବର୍ଷା ସତ୍ତ୍ୱେ ରେନକୋଟ୍ ପିନ୍ଧି ସାଇକେଲରେ ପାଉଁରୁଟି ନେଇ ଯାଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପରିବାରର ଆର୍ଥିକ ଦୁରାବସ୍ଥା ଯୋଗୁଁ ପିଲାଟି ଏହି କାମ କରିବାକୁ ବାଧ୍ୟ ହେଉଛି। ଏତେ କମ୍ ବୟସର ପିଲାମାନେ ଯଦି ପେଟ ପାଟଣା ପାଇଁ ଏମିତି କାମ କରିବେ, ତାହା ଚିନ୍ତାର ବିଷୟ। ଏଥି ପ୍ରତି ପ୍ରଶାସନ ତଥା ଶିଶୁ ସୁରକ୍ଷା ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ପିଲାଟିକୁ ସରକାରୀ ଯୋଜନାରେ ସାମିଲ କରି ପାଠ ପଢା ସହ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
କଣ୍ଟାମାଳରୁ ରାଜା ମହାକୁଡଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






