ଏ.କେ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ଘୁମୁସର ଦକ୍ଷିଣ ବନ ଖଣ୍ଡ ଅଧୀନସ୍ଥ ବୁଗୁଡ଼ା ବନାଞ୍ଚଳର ମୋଟାବାଡ଼ି ଶିବ ମନ୍ଦିର ପୋଖରୀ ନିକଟ ବୁଦାରୁ ଏକ ସମ୍ବରକୁ ବୁଗୁଡ଼ା ବନ ବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛି।
୩୧/୧୦/୨୬ ତାରିଖ ଦିନ ସକାଳେ ଏକ ବନ୍ୟ ପ୍ରାଣୀ ସମ୍ବର କୌଣସି କାରଣ ଯୋଗୁଁ ମୋଟାବାଡ଼ି ଗ୍ରାମର ଶିବ ମନ୍ଦିର ପୋଖରୀ ନିକଟ ଜଙ୍ଗଲିଆ ବୁଦାରେ ପହଞ୍ଚିଥିବା ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ବୁଗୁଡ଼ା ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ ବିଭାଗ କର୍ମଚାରୀ ବୃନ୍ଦ ସତର୍କତାର ସହ ସମ୍ବରଟିକୁ ପୋଖରୀ କଡରୁ ଉଦ୍ଧାର କରିଥିଲେ। ସମ୍ବରଟିକୁ ପୋଖରୀ କଡ଼ରୁ ଉଦ୍ଧାର କଲାପରେ ବୁଗୁଡ଼ା ଅଣାଯାଇ ପ୍ରାଣୀଧନ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କରାଯାଇଥିଲା। ବର୍ତ୍ତମାନ ସମ୍ବରଟି ସୁସ୍ଥ ଥିବା ବେଳେ ବୁଗୁଡ଼ା ବନାଞ୍ଚଳ କାର୍ଯ୍ୟାଳୟର ଏକ ଗୃହରେ ଖାଦ୍ୟ ଦିଆଯାଇ ରଖାଯାଇଛି । ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଜଙ୍ଗଲରେ ସମ୍ବରଟିକୁ ଛାଡି ଦିଆଯିବ ବୋଲି ରେଞ୍ଜର ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ବନ ବିଭାଗର ତୁରନ୍ତ ପଦକ୍ଷେପ ଯୋଗୁଁ ଏକ ବନ୍ୟ ପ୍ରାଣୀର ଜୀବନ ରକ୍ଷା ହୋଇଥିବାରୁ ଜନସାଧାରଣ ବନବିଭାଗର ଉଦ୍ୟମକୁ ପ୍ରଶଂସା କରିଛନ୍ତି।
ଗଞ୍ଜାମରୁ ଆଶିଷ କୁମାର ଖାଡ଼ଙ୍ଗାଙ୍କ ରିପୋର୍ଟ ଆପଣଙ୍କ ଖବର






