ବୌଦ୍ଧ :ଚଳିତ ମାସ ଜୁଲାଇ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଏହି ବିପତ୍ତି ସମୟରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆନନ୍ଦ ମାର୍ଗ ୟୁନିଭର୍ସାଲ ରିଲିଫ୍ ଟିମ୍ (AMURT), ବୌଦ୍ଧ ଜିଲ୍ଲା ଶାଖା ଆଗେଇ ଆସିଛି। ସଂଗଠନର ସ୍ବେଚ୍ଛାସେବୀମାନଙ୍କ ଦ୍ଵାରା ବନ୍ୟା ଓ ବର୍ଷା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବର୍ଷା ଦ୍ଵାରା ହରଭଙ୍ଗା ବ୍ଲକ ମହାଳିକପଡା ଗ୍ରାମର ବାସିନ୍ଦା ବିଭୂତି ଭୂଷଣ ମାଝୀ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ସଂଗଠନର ସ୍ବେଚ୍ଛାସେବୀ ଅନିଳ କୁମାର ସାହୁ ତାଙ୍କ ପାଖରେ ପହଞ୍ଚି ସହାୟତା କରିଛନ୍ତି। ସେହିପରି କଣ୍ଟାମାଳ ବ୍ଲକ ଆସ୍ରେ ଗାଁ ଗ୍ରାମର ପ୍ରଭାବିତ ବ୍ୟକ୍ତି ନରେନ୍ଦ୍ର ଦୀପଙ୍କୁ ସ୍ବେଚ୍ଛାସେବୀ ଅବିନାଶ କମ୍ପ ଯଥାସମ୍ଭବ ସହାୟତା ପ୍ରଦାନ କରିଛନ୍ତି।

ସଂଗଠନ ପକ୍ଷରୁ ଏହି ବିପନ୍ନ ପରିବାରଗୁଡ଼ିକୁ ତୁରନ୍ତ ରିଲିଫ୍ ଆକାରରେ ଚୁଡ଼ା, ବିସ୍କୁଟ୍, ଚିନି, ଆଳୁ ଏବଂ ଡାଲି ଆଦି ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଛି। ଏହି ସାହାଯ୍ୟ ପାଇବା ପରେ ପ୍ରଭାବିତ ପରିବାର ସଂଗଠନ ପ୍ରତି କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ଯେ କୌଣସି ପ୍ରାକୃତିକ ବିପର୍ଯୟ ସମୟରେ ମଧ୍ୟ ଏହି ରିଲିଫ୍ କାର୍ଯ୍ୟ ଜାରି ରହିବ ବୋଲି ସଂଗଠନର ବରିଷ୍ଟ ପ୍ରାଉଷ୍ଟିଟ ତଥା ସାମାଜିକକର୍ମୀ କେଦାରନାଥ ସାହୁ ସୂଚନା ଦେଇଛନ୍ତି ।
ବୌଦ୍ଧରୁ କୃତ୍ତିବାସ ପଲିଆଙ୍କ ରିପୋର୍ଟ ଆପଣଙ୍କ ଖବର






