ଏ.କେ ବ୍ୟୁରୋ : ଦକ୍ଷିଣ ଓଡ଼ିଶାର ସର୍ବପୁରାତନ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବେ ଆଞ୍ଚଳିକ ଭାଷାର ପ୍ରାଣକେନ୍ଦ୍ର ସାଜିବା ପରିବର୍ତ୍ତେ ଓଡ଼ିଆ ଭାଷାର ଅବହେଳାର ମୂକସାକ୍ଷୀ ପାଲଟିଛି। ଗଞ୍ଜାମ, ଛତ୍ରପୁର, ରମ୍ଭା, ଖଲ୍ଲିକୋଟ ଓ ଆଖପାଖ ଅଞ୍ଚଳର ହଜାର ହଜାର ଛାତ୍ରଛାତ୍ରୀ ଯେଉଁ ଅନୁଷ୍ଠାନ ଉପରେ ଶିକ୍ଷାଗତ ଭବିଷ୍ୟତ ପାଇଁ ନିର୍ଭର କରନ୍ତି, ସେଠାରେ ଓଡ଼ିଆ ଭାଷା ପ୍ରତି ଏଭଳି ବୈମାତୃକ ମନୋଭାବ ରାଜ୍ୟ ସରକାରଙ୍କ ‘ଭାଷାର ବିକାଶ’ ନୀତି ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସରକାରୀ ନିର୍ଦ୍ଦେଶନାମା କେବଳ କାଗଜପତ୍ରରେ:ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷାରେ ପାଠପଢ଼ା ଓ ପରୀକ୍ଷା ପରିଚାଳନା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହା ଏଠାରେ କେବଳ କାଗଜପତ୍ରରେ ସୀମିତ। ବିଶେଷ କରି କଳା, ବାଣିଜ୍ୟ, ଆଇନ ଓ ସାମ୍ବାଦିକତା ଭଳି ବିଭାଗଗୁଡ଼ିକରେ ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ରୂପେ କଣଠେସା କରାଯାଇଛି। କ୍ଲାସରୁମରେ ପ୍ରଫେସରମାନେ କେବଳ ଇଂରାଜୀ ଭାଷାରେ ଅଧ୍ୟାପନା କରୁଛନ୍ତି ଏବଂ ପ୍ରସ୍ତୁତ ନୋଟ୍ ମଧ୍ୟ କେବଳ ଇଂରାଜୀରେ ହିଁ ଦିଆଯାଉଛି। ଫଳରେ ଗ୍ରାମାଞ୍ଚଳରୁ ଆସୁଥିବା ଓଡ଼ିଆ ମାଧ୍ୟମର ଶହ ଶହ ପ୍ରତିଭାବାନ ଛାତ୍ରଛାତ୍ରୀ ବିଷୟବସ୍ତୁକୁ ବୁଝିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପରୀକ୍ଷା ପ୍ରଣାଳୀରେ ସମସ୍ୟା ଓ ମାନସିକ ଚାପ:ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର କେବଳ ଇଂରାଜୀରେ ହିଁ ପ୍ରସ୍ତୁତ କରୁଛନ୍ତି। ଓଡ଼ିଆରେ ଉତ୍ତର ଲେଖିବା ପାଇଁ ଶିକ୍ଷାନୁଷ୍ଠାନ ସ୍ତରରେ କୌଣସି ପ୍ରୋତ୍ସାହନ କିମ୍ବା ବ୍ୟବସ୍ଥା ନାହିଁ। ଅନେକ ମହାବିଦ୍ୟାଳୟର ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କୁ ଓଡ଼ିଆରେ ପରୀକ୍ଷା ଦେବାକୁ ବାରଣ କରୁଥିବା ଭଳି ସଂଘାତିକ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି।
ଏହି କାରଣରୁ ନିଜ ମାତୃଭାଷାରେ ଭଲ ଭାବେ ଉତ୍ତର ଲେଖିବାକୁ ସକ୍ଷମ ଥିବା ପିଲାମାନେ କେବଳ ଇଂରାଜୀ ଭାଷାର ଦୁର୍ବଳତା ଯୋଗୁଁ ପରୀକ୍ଷାରେ ଅକୃତକାର୍ଯ୍ୟ (ଫେଲ୍) ହେଉଛନ୍ତି, ଯାହା ସେମାନଙ୍କ ମାନସିକ ସ୍ତରରେ ଆଘାତ ଦେଉଛି।ମାତୃଭାଷା ପ୍ରତି କାହିଁକି ଏହି ବିମୁଖତା?ଓଡ଼ିଆ ଭାଷା କେବଳ ଏକ ସାହିତ୍ୟ ନୁହେଁ, ଏହା ଓଡ଼ିଶାର ଅସ୍ମିତାର ପରିଚୟ। ଯଦି ଉଚ୍ଚଶିକ୍ଷା କ୍ଷେତ୍ରରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆନଯିବ, ତେବେ ଗ୍ରାମାଞ୍ଚଳର ପିଲାମାନେ କିଭଳି ଆଗକୁ ବଢ଼ିବେ? ପ୍ରଥମ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ବିଶ୍ୱବିଦ୍ୟାଳୟର ଏହି ଶିକ୍ଷାଦାନ ଶୈଳୀକୁ ନେଇ ଅଭିଭାବକ ମହଲରେ ଚିନ୍ତା ବଢ଼ିବାରେ ଲାଗିଛି।ବୁଦ୍ଧିଜୀବୀଙ୍କ ଦାବି:ଯଦି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତୁରନ୍ତ ତାର ନୀତିରେ ସଂଶୋଧନ ନକରେ ଏବଂ ସରକାରୀ ନିର୍ଦ୍ଦେଶକୁ ପାଳନ କରି ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଶିକ୍ଷାଦାନ ତଥା ପରୀକ୍ଷା ପରିଚାଳନା ନକରେ, ତେବେ ଆଗାମୀ ଦିନରେ ଏହା ଏକ ବଡ଼ ଧରଣର ଆନ୍ଦୋଳନର ରୂପ ନେଇପାରେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଉଚ୍ଚଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଗ୍ରାମାଞ୍ଚଳର ମେଧାବୀ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥର ସୁରକ୍ଷା କରିବା ଜରୁରୀ .
ଗଞ୍ଜାମ ହମ୍ମା ଦୀପକ କୁମାର ସାହୁ






