ଏ.କେ ବ୍ୟୁରୋ : ସକାଳୁ ସକାଳୁ… ସବୁକିଛି ଥିଲା ସ୍ୱାଭାବିକ। ରାସ୍ତାରେ ଯାଉଥିଲେ ଲୋକେ। କିଏ ନିଜ ଗନ୍ତବ୍ୟସ୍ଥଳକୁ ତ ଆଉ କିଏ ନିଜ କାମରେ ବ୍ୟସ୍ତ ଥିଲା। ହେଲେ ହଠାତ୍ ମାଡ଼ି ଆସିଲା ଏକ କଳା କାର୍! ଆଉ ଧକ୍କା ଦେଇ ଚାଲିଲା ଗୋଟିଏ ପରେ ଗୋଟିଏ । ଅଭିଯୋଗ ଅନୁସାରେ, ଢାବାରେ ବଚସା ପରେ କାର୍ ନେଇ ବାହାରିଥିବା ଯୁବକ ରାସ୍ତାରେ ଏକାଧିକ ଗାଡ଼ି ଓ ଲୋକଙ୍କୁ ଧକ୍କା ଦେଇଥିଲେ। ଗୋଟିଏ ଧକ୍କା ପରେ ଗାଡ଼ି ଅଟକିବା ବଦଳରେ ପୁଣି ଆଗକୁ ବଢ଼ିଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଏଇ ଦେଖନ୍ତୁ ସିସିଟିଭି ଭିଜୁଆଲ…କାରଟି କେମିତି ଦ୍ରୁତ ଗତିରେ ମାଡ଼ି ଆସୁଛି । ଆଉ ଧକ୍କା ଦେଇ ଚାଲି ଯାଉଛି । 
ଚାରିଆଡ଼େ ଚିତ୍କାର… ଆତଙ୍କ… । ଲାଗୁଛି ଯେମିତି କାର୍ ଡ୍ରାଇଭର ଜଣକ ଜାଣି ଶୁଣି ଦୁର୍ଘଟଣା ଘଟାଉଛି । ତେବେ ଆହତଙ୍କୁ ଉଦ୍ଧାର କରିବାକୁ ଲୋକମାନେ ଲାଗି ପଡ଼ିଲେ । ଏହି ଘଟଣାରେ ଏକାଧିକ ଲୋକ ଆହତ ହୋଇଛନ୍ତି। କାହାର ହାତରେ ଆଘାତ, ତ ଆଉ କାହାର ମୁଣ୍ଡ ଓ ଅଣ୍ଟାରେ ଗୁରୁତର ଚୋଟ ଲାଗିଥିବା ସୂଚନା ମିଳିଛି। ଏହା କେବଳ ଏକ ସଡ଼କ ଦୁର୍ଘଟଣା ନୁହେଁ… ଏହା ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଉଠାଇଛି ବଡ଼ ପ୍ରଶ୍ନ ।
ସେଇ ନାଁ… ସେହିଭଳି ଦୁର୍ଘଟଣା… ଆଉ ପୁଣି ସେହି ଚର୍ଚ୍ଚା । ସୌମ୍ୟ ରଞ୍ଜନ ରଥ। ପୂର୍ବରୁ ଭୁବନେଶ୍ବର ଶାସ୍ତ୍ରୀନଗରରେ ମର୍ସିଡିଜ୍ କାର୍ ଦୁର୍ଘଟଣାକୁ ନେଇ ବିବାଦରେ ଥିଲେ ଏହି ଯୁବକ । ତାଙ୍କର ପୁଣି ଏକ ସିରିଜ୍ ଦୁର୍ଘଟଣା ମାମଲା ସାମ୍ନାକୁ ଆସିଛି। ପୂର୍ବ ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ଜୀବନ ଯାଇଥିବା କଥା ଏବେ ବି ଚର୍ଚ୍ଚାରେ ରହିଛି। ଆଉ ଏବେ ପୁଣି ଏକାଧିକ ଲୋକ ଆହତ ହେବା ପରେ ଘଟଣାକୁ ନେଇ ରାଜଧାନୀରେ ପ୍ରବଳ ହଇଚଇ। ପ୍ରଶ୍ନ ଉଠୁଛି–ପୂର୍ବ ଘଟଣାରୁ କ’ଣ ଶିକ୍ଷା ମିଳିଲାନି? ରାସ୍ତାରେ ଏଭଳି ବେପରୁଆ ଗାଡ଼ି ଚାଳନାକୁ ରୋକିବ କିଏ? ପୂରା ଘଟଣାର କାରଣ ଏବଂ ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
ଘଟଣା ପରେ ଅଭିଯୁକ୍ତକୁ କାବୁ କରିଛି ପୋଲିସ। ମାମଲା ରୁଜୁ ହୋଇଛି, ଆଉ ଏବେ ଆଇନର ଜାଲରେ ଛନ୍ଦି ହୋଇଛନ୍ତି ସୌମ୍ୟରଞ୍ଜନ ରଥ। ପୋଲିସ ପକ୍ଷରୁ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି। ଏଥିରେ ବିପଜ୍ଜନକ ଭାବେ ଗାଡ଼ି ଚାଳନା, ଅନ୍ୟର ଜୀବନକୁ ବିପଦରେ ପକାଇବା, ଆଘାତ ପହଞ୍ଚାଇବା ଏବଂ ହତ୍ୟା ଉଦ୍ୟମ ଭଳି ଗମ୍ଭୀର ଅଭିଯୋଗ ସାମିଲ ରହିଛି। ଅନ୍ୟପଟେ, ପରିବହନ ବିଭାଗର MVI ଟିମ୍ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକର ଯାଞ୍ଚ ଆରମ୍ଭ କରିଛି। ଗାଡ଼ିର କ୍ଷୟକ୍ଷତି, ଦୁର୍ଘଟଣାର ପରିସ୍ଥିତି ଏବଂ ଅନ୍ୟାନ୍ୟ ଦିଗକୁ ନେଇ ତଦନ୍ତ ଚାଲିଛି। ବାରମ୍ବାର ଦୁର୍ଘଟଣାର ଅଭିଯୋଗ… ଏକାଧିକ ଆହତ… ଆଉ ଏବେ ଲାଇସେନ୍ସ ଉପରେ ପ୍ରଶ୍ନଚିହ୍ନ । ପରିବହନ ବିଭାଗର ତଦନ୍ତ ପରେ ଲାଇସେନ୍ସ ବାତିଲ୍ ହେବ କି ନାହିଁ, ତାହା ସ୍ପଷ୍ଟ ହେବ।
ଗୋଟିଏ ମୁହୂର୍ତ୍ତର ରାଗ… ଆଉ ତାହାର ପରିଣାମ ଭୋଗୁଛନ୍ତି ନିରୀହ ଲୋକ । ରାସ୍ତା କାହାର ବ୍ୟକ୍ତିଗତ ଖେଳପଡ଼ିଆ ନୁହେଁ। ଏଠି ପ୍ରତିଦିନ ହଜାର ହଜାର ଲୋକ ନିଜ ପରିବାର ପାଖକୁ ଫେରିବା ଆଶାରେ ବାହାରନ୍ତି। ହେଲେ କିଛି ଲୋକଙ୍କ ବେପରୁଆ ଗାଡ଼ି ଚାଳନା ସେହି ଆଶାକୁ ମୁହୂର୍ତ୍ତକରେ ବିପଦରେ ପକାଇଦିଏ। କେଶୁରା ଦୁର୍ଘଟଣା ଘଟଣା ଏବେ ଅନେକ ପ୍ରଶ୍ନ ଛାଡ଼ି ଯାଇଛି। ଢାବାରେ କ’ଣ ଘଟିଥିଲା? କାହିଁକି ଘଟିଲା ଏଭଳି ଦୁର୍ଘଟଣା? ଆଉ ଆଗକୁ ଏଭଳି ଘଟଣା ରୋକିବାକୁ କ’ଣ ପଦକ୍ଷେପ ନେବ ପ୍ରଶାସନ? ଉତ୍ତର ଅପେକ୍ଷାରେ ରହିଛନ୍ତି ଆହତଙ୍କ ପରିବାର ଏବଂ ସହରବାସୀ। କାରଣ ଗାଡ଼ିର ଗତି ଯେତେ ଅଧିକ ହେଉନା କାହିଁକି… ମଣିଷ ଜୀବନଠାରୁ ତାହା କେବେ ବି ମୂଲ୍ୟବାନ ହୋଇପାରିବ ନାହିଁ।…ତଥାପି ଘଟଣା ଘଟାଇ ଥିବା ଅଭିଯୁକ୍ତ ଭୁଲ କରିଛି ନା ଭୁଲରେ ହେଇ ଯାଇଛି ? ଆଉ ଯଦି ଭଲ ମସ୍ତିଷ୍କରେ ଅଘଟଣ ଘଟାଇଥାନ୍ତି ତାହା ହେଲେ ବଡ଼ ଦଣ୍ଡ ପାଇବା ଜରୁରୀ ।






