ଅନୁଗୋଳ ମାରୱାଡି ଧର୍ମଶାଳା ପରିସରରେ ମାରୱାଡି ପଞ୍ଚାୟତ ପକ୍ଷରୁ ଝୁଲଣା ମହୋତ୍ସବ ଚଳିତ ବର୍ଷ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ଭକ୍ତି, ଉତ୍ସାହ ଓ ଭାଇଚାରାର ପରିବେଶ ମଧ୍ୟରେ ପଞ୍ଚାୟତବାସୀ ଏହି ଉତ୍ସବକୁ ଆନନ୍ଦର ସହ ପାଳନ କରିଛନ୍ତି।
ସୂଚନା ଅନୁଯାୟୀ, ଅନୁଗୋଳ ମାରୱାଡି ଧର୍ମଶାଳାରେ ଦୀର୍ଘ ୯୮ ବର୍ଷ ଧରି ଝୁଲଣା ମହୋତ୍ସବ ପାଳିତ ହୋଇଆସୁଛି। ସାଧାରଣତଃ ଶ୍ରାବଣ ମାସର ଏକାଦଶୀ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରାୟ ୫ ଦିନ ଧରି ଏହି ଉତ୍ସବ ଚାଲିଥାଏ। ତେବେ ଚଳିତ ବର୍ଷ ତିଥି ଅନୁଯାୟୀ ଏହା ୬ ଦିନ ଧରି ପାଳନ କରାଯାଇଛି।

ଝୁଲଣା ମହୋତ୍ସବ ଅବସରରେ ମାରୱାଡି ପଞ୍ଚାୟତ ପକ୍ଷରୁ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଉତ୍ସବର ଏକ ବିଶେଷତ୍ୱ ହେଉଛି, ବାହାରୁ କୌଣସି କଳାକାରଙ୍କୁ ଡାକିବା ପରିବର୍ତ୍ତେ ପଞ୍ଚାୟତର ନିଜସ୍ୱ କଳାକାରମାନେ ହିଁ ମଞ୍ଚରେ ନିଜ ପ୍ରତିଭା ପ୍ରଦର୍ଶନ କରିଥାନ୍ତି।
କୁନି କୁନି କଳାକାରଙ୍କ ଠାରୁ ଆରମ୍ଭ କରି ବୟସ୍କ ଓ ବୃଦ୍ଧମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ହୋଇଥିଲେ। ହିନ୍ଦୀ ସଙ୍ଗୀତ ସହିତ ଓଡ଼ିଆ ସଙ୍ଗୀତରେ ମଧ୍ୟ ପଞ୍ଚାୟତବାସୀ ଗୀତ ଗାଇବା ସହ ନୃତ୍ୟ ପରିବେଷଣ କରିଥିଲେ। ଫଳରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା।
ଏହି ଝୁଲଣା ମହୋତ୍ସବକୁ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଭାଇଚାରା ଓ ସାମାଜିକ ଏକତାର ପର୍ବ ଭାବେ ମାରୱାଡି ପଞ୍ଚାୟତବାସୀ ପାଳନ କରିଆସୁଛନ୍ତି।
ଏବେ ଆଗକୁ ଜନ୍ମାଷ୍ଟମୀ ଆସୁଥିବାରୁ ଏହାକୁ ମଧ୍ୟ ବେଶ୍ ଧୁମଧାମରେ ପାଳନ କରାଯିବ ବୋଲି ମାରୱାଡି ପଞ୍ଚାୟତ ପକ୍ଷରୁ କୁହାଯାଇଛି। ଝୁଲଣା ମହୋତ୍ସବର ଏହି ପରମ୍ପରା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପଞ୍ଚାୟତବାସୀ ଆଶା ପ୍ରକାଶ କରିଛନ୍ତି।






