ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀରେ ରଥାଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସମର୍ପଣ ଭାବ ଓ ସମନ୍ୱୟ ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଗୋଟିଏ ବି ଅଧିକ ରଥ କର୍ଡନ୍ ପାସ୍ ଇସ୍ୟୁ କରାଯିବ ନାହିଁ । କେବଳ ନୀତିକାନ୍ତି ସହିତ ଜଡ଼ିତ ସେବାୟତ ଏବଂ କର୍ମଚାରୀଙ୍କୁ କର୍ଡନ୍ ପାସ୍ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ପୁରୀ ଟାଉନ ହଲରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବାକୁ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ସମସ୍ତ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ରଖି କାମ କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ସେବାୟତ ଏବଂ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ପଡ଼ିବ । ଯଦି ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରହିବ ତେବେ ଯାଇ ରଥଯାତ୍ରା ତ୍ରୁଟିଶୂନ୍ୟ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ପୁରୀ ରଥଯାତ୍ରା ଉପରେ ସାରା ବିଶ୍ୱର ନଜର ରହିଛି । ରଥଯାତ୍ରାକୁ ସୁରୁଖୁରୁରେ ସାରିବା ଓ ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ।

ସେହିପରି ଗୋଟିଏ ବି ଅଧିକ ରଥ କର୍ଡନ୍ ପାସ୍ ଇସ୍ୟୁ କରାଯିବ ନାହିଁ । କେବଳ ନୀତିକାନ୍ତି ସହିତ ଜଡ଼ିତ ସେବାୟତ ଏବଂ କର୍ମଚାରୀଙ୍କୁ କର୍ଡନ୍ ପାସ୍ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି, କିମ୍ବା ଅନଧିକୃତ ଅଧିକାରୀ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କୁ ସମ୍ମାନରେ ବାହାରକୁ କରିବେ । ଏଥିପାଇଁ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ।
ବିଗତ ବର୍ଷ ହେରା ପଞ୍ଚମୀରେ ଘଟିଥିବା ଅଘଟଣର ଯେପରି ପୁନରାବୃତ୍ତି ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ । ଏଥିପାଇଁ ଉପଯୁକ୍ତ ପରିମାଣରେ ସିସିଟିଭି କ୍ୟାମେରା ଏବଂ ତାଲିମ ପ୍ରାପ୍ତ କର୍ମଚାରୀଙ୍କୁ ମନିଟର୍ ବ୍ୟବସ୍ଥାରେ ରଖାଯିବ । ରଥଯାତ୍ରାରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ମହିଳାଙ୍କ ସୁରକ୍ଷା ପାଇଁ ଆବଶ୍ୟକ ଅନୁସାରେ ମହିଳା କର୍ମଚାରୀଙ୍କୁ ନିଯୁକ୍ତ କରାଯିବ । ଏଭଳି କିଛି ଲୋକ ଧରାପଡ଼ିଲେ ତାଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଜଗନ୍ନାଥ ସଂସ୍କୃତିକୁ କିଛି ଲୋକ ବିକୃତ କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଆମ ସଂସ୍କୃତିର ମର୍ଯ୍ୟାଦା ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ବୈଠକରେ ସ୍ୱାସ୍ଥ୍ୟ, ପରିମଳ, ଟ୍ରାଫିକ ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ପର୍ଯ୍ୟାପ୍ତ ପରିମାଣରେ ଆମ୍ବୁଲାନ୍ସ, ସମୁଦ୍ରରେ ଅଘଟଣ ରୋକିବାକୁ ଆବଶ୍ୟକୀୟ ପରିମାଣର ଲାଇଫ୍ ଗାର୍ଡ ନିଯୁକ୍ତ କରାଯିବ । ରଥଯାତ୍ରାରେ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ସମସ୍ତ ଉଠା ଦୋକାନୀଠାରୁ ଆରମ୍ଭ କରି ହୋଟେଲ ମାନଙ୍କରେ ଖାଦ୍ୟ ସୁରକ୍ଷା ଅଧିକାରୀ ଖାଦ୍ୟର ମାନ ଯାଞ୍ଚ କରିବେ । ଆଜିଠାରୁ ନିୟମିତଭାବେ ଖାଦ୍ୟର ମାନ ଯାଞ୍ଚ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେବାୟତଙ୍କ ନିଷ୍ଠା ଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ଅସୁବିଧା କେବେ ହୋଇନି, ସେହିପରି ଚଳିତ ବର୍ଷ ମଧ୍ୟ କୌଣସି ଅସୁବିଧା ହେବନି ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ରଥଯାତ୍ରା ସମୟରେ ସାମାଜିକ ଗଣମାଧ୍ୟମ ଏବଂ ସାଇବର ଅପରାଧ ଉପରେ କଡ଼ା ନଜର ରଖାଯିବ । ସାମାଜିକ ଗଣମାଧ୍ୟମରେ ଗୁଜବ ଉପରେ ଅଧିକ ଧ୍ୟାନ ଦେବାକୁ ସାଇବର ସିକ୍ୟୁରିଟି ସେଲକୁ ପରାମର୍ଶ ଦେଇଛନ୍ତି ।
ବୈଠକରେ ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତରାଜ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଅନ୍ୟ ବିଭାଗର ମନ୍ତ୍ରୀ ଗଣ, ସ୍ଥାନୀୟ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଓ ଏସପି ପ୍ରମୁଖ ଯୋଗ ଦେଇଛନ୍ତି ।






