ଏ.କେ ବ୍ୟୁରୋ : ବର୍ଷା ହେଲେ ଠପ୍ ହୋଇଯାଏ ଯାତାୟାତ,୭ ଲକ୍ଷ ଟଙ୍କା ମଞ୍ଜୁର, ଫଳକ ଲାଗିଛି, କାମ ଆରମ୍ଭ ହେଉନି, ରାସ୍ତା ନିର୍ମାଣ କେବେ,ଜଙ୍ଗଲ ପାଖରେ ଗାଁ, ସଂଧ୍ୟା ହେଲେ ହାତୀ ଭୟ ଆଠଗଡ଼,୧୨/୮ ସ୍ୱାଧୀନତାର ୮୦ ବର୍ଷ ପୂର୍ତ୍ତିକୁ ଦେଶ ଅପେକ୍ଷା କରୁଥିବା ବେଳେ ଏବେ ବି ଗାଁକୁ ଭଲ ରାସ୍ତାଟିଏ ନାହିଁ। ବର୍ଷା ହେଲେ ମାଟି ଓ କାଦୁଅରେ ପରିଣତ ହେଉଛି ରାସ୍ତା। ଫଳରେ ଗାଁକୁ ଯାତାୟାତ ଏକପ୍ରକାର ଠପ୍ ହୋଇଯାଉଛି। ଏଭଳି ଅବ୍ୟବସ୍ଥାର ଚିତ୍ର ଦେଖିବାକୁ ମିଳିଛି ନରସିଂହପୁର ବ୍ଲକ ସାଗର ପଞ୍ଚାୟତ ଅନ୍ତର୍ଗତ ପାଞ୍ଚଗୋଛିଆ ଜଙ୍ଗଲ ଗ୍ରାମରେ।ପ୍ରାୟ ୨୦ଟି ପରିବାର ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ଏଠାରେ ବସବାସ କରି ଆସୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଗାଁକୁ ସ୍ଥାୟୀ ରାସ୍ତା ନିର୍ମାଣ ହୋଇ ପାରିନାହିଁ।

ପାଞ୍ଚଗୋଛିଆ ଗାଁଠାରୁ ପାଞ୍ଚଗୋଛିଆ ଜଙ୍ଗଲ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ।ବର୍ଷାଦିନେ କାଦୁଅ ପଚପଚ ରାସ୍ତାରେ ଚାଲିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା, ରୋଗୀ, ଗର୍ଭବତୀ ମହିଳା ଓ ଶିଶୁମାନେ ଯାତାୟାତରେ ଅନେକ ଅସୁବିଧା ଭୋଗୁଛନ୍ତି। ଜରୁରୀ ସମୟରେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ଗାଁକୁ ପହଞ୍ଚିବା ମଧ୍ୟ କଷ୍ଟକର ହୋଇପଡ଼ୁଥିବା ଗ୍ରାମବାସୀ କହିଛନ୍ତି।ମନରେଗା ଯୋଜନାରେ ରାସ୍ତା ନିର୍ମାଣ ପାଇଁ ୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡ଼ିଛି। ଏନେଇ ରାସ୍ତା ପାର୍ଶ୍ୱରେ ଫଳକ ମଧ୍ୟ ଲାଗିଛି। ହେଲେ ଫଳକ ଲାଗିବାର ଦିନ ବିତିଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇନାହିଁ।
କାମ କେବେ ଆରମ୍ଭ ହେବ ଏବଂ କେବେ ଶେଷ ହେବ, ସେନେଇ ମଧ୍ୟ କୌଣସି ସୂଚନା ନଥିବାରୁ ଗ୍ରାମବାସୀଙ୍କ ଅସନ୍ତୋଷ ବଢ଼ୁଛି।ଜଙ୍ଗଲ ପାଖରେ ଗାଁ, ସନ୍ଧ୍ୟା ହେଲେ ହାତୀ ଭୟ।ଗାଁଟି ଜଙ୍ଗଲ ନିକଟରେ ଥିବାରୁ ସନ୍ଧ୍ୟା ହେଲେ ହାତୀଙ୍କ ଉପଦ୍ରବ ବଢ଼ୁଥିବା ଅଭିଯୋଗ ହୋଇଛି। ହାତୀ ଭୟରେ ସନ୍ଧ୍ୟା ପରେ ଗ୍ରାମବାସୀ ଘରୁ ବାହାରିବାକୁ ଭୟ କରୁଛନ୍ତି। ଗାଁରେ ଲାଗିଥିବା ୪ଟି ଷ୍ଟ୍ରିଟ୍ ଲାଇଟ୍ ମଧ୍ୟରୁ ୨ଟି ଦୀର୍ଘମାସ ଧରି ଅଚଳ ହୋଇପଡ଼ିଥିବା ଅଭିଯୋଗ ରହିଛି।ରାସ୍ତା ସମସ୍ୟା ସମେତ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବ ଯୋଗୁଁ କିଛି ପରିବାର ଗାଁ ଛାଡ଼ି ବାହାରେ ରହୁଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି।ତେଣୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ମଞ୍ଜୁର ହୋଇଥିବା ଅର୍ଥରେ ରାସ୍ତା ନିର୍ମାଣ କାମ ଆରମ୍ଭ କରିବା ସହ ଗାଁକୁ ସ୍ଥାୟୀ ରାସ୍ତା, ଆଲୋକ ବ୍ୟବସ୍ଥା ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବାକୁ ପାଞ୍ଚଗୋଛିଆ ଜଙ୍ଗଲ ଗାଁ ଗ୍ରାମର ଲକ୍ଷ୍ମୀ ନାଏକ, କମଳୀ ନାଏକ, ରଞ୍ଜିତା ନାୟକ, ରଶ୍ମିତା ନାୟକ, ଡଲି ନାୟକ,ନିରାକାର ନାଏକ, ପ୍ରମୋଦ ନାଏକ, ଚନ୍ଦ୍ରମଣୀ ନାଏକ, ପ୍ରଶାନ୍ତ ନାଏକ, ଧନେଶ୍ୱର ନାଏକ, ଚନ୍ଦନ ନାଏକ, ସୂର୍ଯ୍ୟମଣି ନାଏକ ପ୍ରମୁଖ ଗ୍ରାମବାସୀ ଦାବୀ କରିଛନ୍ତି।






