ଏ.କେ ବ୍ୟୁରୋ : ଅନ୍ ଲାଇନ ଅଟୋଚାଳକଙ୍କ ମୁଣ୍ଡରେ ଚଡ଼କ । ୩୮୦ ଅଟୋ ଚାଳକଙ୍କୁ ପଠାଯାଇଥିବା ଶୋ’ କଜ୍ ନୋଟିସର ଶେଷ ଦିନ ଆସନ୍ତା ୨୬ ତାରିଖ । ଅବଧି ଶେଷ ହେବାକୁ ହାତରେ ମାତ୍ର ଆଉ ଗୋଟିଏ ଦିନ ସମୟ । ସନ୍ତୋଷଜନକ ଉତ୍ତର ଓ ପ୍ରମାଣ ନ ରଖି ପାରିଲେ ଆଇନ ଅନୁଯାୟୀ ଜବତ ଗାଡ଼ି ଗୁଡ଼ିକର ପରମିଟ ରଦ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଯାଞ୍ଚ ବେଳେ ଜଣାପଡ଼ିଛି ଯେ, ଜବତ ହୋଇଥିବା ବିଭିନ୍ନ ଗାଡ଼ିର ଇନ୍ ସୁରାନ୍ସ ନଥିବା ବେଳେ, ଅନେକ ଗାଡ଼ିର ଫିଟନେସ୍ ସାର୍ଟିଫିକେଟ୍ ମଧ୍ୟ ନାହିଁ। ଏସବୁକୁ ନେଇ ତଥ୍ୟ ସଂଗ୍ରହ କରି ଏକ ତାଲିକା ପ୍ରସ୍ତୁତ କରିଛି ପରିବହନ ବିଭାଗ। ଏହି କ୍ରମରେ ଆଜି ଆରଟିଓ ଅଫିସରରେ ପହଞ୍ଚି ବିଭିନ୍ନ ଅଟୋ ଚାଳକମାନେ ଗାଡ଼ିର ତଥ୍ୟ ଓ ପ୍ରମାଣ ଦାଖଲ କରିଛନ୍ତି।
ଭୁବନେଶ୍ବରରେ ମାତ୍ର ୨୫ ଜଣ ଗାଡ଼ି ମାଲିକ ଆରଟିଓ ଅଫିସରେ ପହଞ୍ଚି ନିଜର ଜବାବ ଦାଖଲ କରିଛନ୍ତି। ଏକାଧିକ ଅଟୋଚାଳକ ଏ ପର୍ଯ୍ୟନ୍ତ ସେମାନଙ୍କ ଜବାବ ରଖି ନ ଥିବାରୁ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀ ଜଣାଇଛନ୍ତି। ସେପଟେ ଷ୍ଟ୍ରାଇକରେ ସାମିଲ ଥିବା ଜଣେ ଅଟୋ ଚାଳକ ଉତ୍ତର ରଖିବାକୁ ଆସି ନିଜ ଭୁଲ୍ ସ୍ୱୀକାର କରିଛନ୍ତି। କିଛି ଅମାନିଆଙ୍କ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କହିବା ସହ ଏହା ତାଙ୍କ ଜୀବନ ଓ ଜୀବିକା ଉପରେ ପ୍ରଭାବ ପକାଇଥିବା କହିଛନ୍ତି।






