ଏ.କେ ବ୍ୟୁରୋ : ଆସୁଛି ଶକ୍ତି ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରି । ମା’ ଦୁର୍ଗାଙ୍କ ଆଗମନକୁ ନେଇ ଏବେଠାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ । ୯ ଦିନ ଧରି ମା’ଙ୍କ ନବଦୁର୍ଗା ସ୍ୱରୂପର ହେବ ସ୍ୱତନ୍ତ୍ର ପୂଜାର୍ଚ୍ଚନା ।ଆସୁଛି ଶକ୍ତି ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରି । ମା’ ଦୁର୍ଗାଙ୍କ ଆଗମନକୁ ନେଇ ଏବେଠାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ । ୯ ଦିନ ଧରି ମା’ଙ୍କ ନବଦୁର୍ଗା ସ୍ୱରୂପର ହେବ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ତେବେ ୨୦୨୬ରେ କେବେଠାରୁ ଆରମ୍ଭ ହେବ ନବରାତ୍ରି? କେବେ ହେବ ଘଟସ୍ଥାପନା? ଆଉ ମହାଅଷ୍ଟମୀ ଓ ମହାନବମୀ କେବେ ପାଳନ କରାଯିବ? ଆସନ୍ତୁ ଜାଣିବା…
ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୨୦୨୬ ଶାରଦୀୟ ନବରାତ୍ରି ଅକ୍ଟୋବର ୧୧ ତାରିଖ, ରବିବାରଠାରୁ ଆରମ୍ଭ ହେବ । ପ୍ରତିପଦା ତିଥି ଅକ୍ଟୋବର ୧୦ ରାତି ୯ଟା ୧୯ ମିନିଟରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ରାତି ୯ଟା ୩୦ ମିନିଟରେ ଶେଷ ହେବ । ଅକ୍ଟୋବର ୨୦ ତାରିଖରେ ବିଜୟାଦଶମୀ ସହ ନବରାତ୍ରିର ସମାପନ ହେବ । ଘଟସ୍ଥାପନା ପାଇଁ ଶୁଭ ସମୟ ସକାଳ ୬ଟା ୧୯ ମିନିଟ୍ରୁ ୧୦ଟା ୧୨ ମିନିଟ୍ ପର୍ଯ୍ୟନ୍ତ ରହିବ । ସେହିପରି ଅଭିଜିତ୍ ମୁହୂର୍ତ୍ତ ରହିଛି ସକାଳ ୧୧ଟା ୪୪ରୁ ଦିନ ୧୨ଟା ୩୧ ମିନିଟ୍ ପର୍ଯ୍ୟନ୍ତ ।
ଚଳିତ ବର୍ଷ ଅକ୍ଟୋବର ୧୮ରେ ମହାଅଷ୍ଟମୀ ପାଳନ ହେବ । ଅକ୍ଟୋବର ୧୯ ସକାଳ ୧୦ଟା ୫୧ ମିନିଟ୍ ପର୍ଯ୍ୟନ୍ତ ଅଷ୍ଟମୀ ତିଥି ରହିବା ପରେ ଆରମ୍ଭ ହେବ ମହାନବମୀ । ଏହି ସମୟରେ ସନ୍ଧି ପୂଜା, କନ୍ୟା ପୂଜା ଓ ମହାହୋମ କରାଯିବ । ଘଟସ୍ଥାପନା ପାଇଁ ଘରର ଈଶାନ କୋଣକୁ ସଫା କରି ଗଙ୍ଗାଜଳ ଛିଞ୍ଚି ପବିତ୍ର କରନ୍ତୁ । ଏହାପରେ ଚୌକି ଉପରେ ଲାଲ କପଡ଼ା ବିଛାଇ ମା’ ଦୁର୍ଗାଙ୍କ ମୂର୍ତ୍ତି କିମ୍ବା ଫଟୋ ସ୍ଥାପନ କରନ୍ତୁ । ମାଟି ପାତ୍ରରେ ଯଅ ବୁଣି ତା’ ଉପରେ ଜଳପୂର୍ଣ୍ଣ କଳସ ସ୍ଥାପନ କରନ୍ତୁ । କଳସରେ ଗଙ୍ଗାଜଳ, ଅକ୍ଷତ, ଦୁବ, ଗୁଆ ଓ ମୁଦ୍ରା ପକାଇ ଆମ୍ବ କିମ୍ବା ଅଶୋକ ପତ୍ର ଲଗାନ୍ତୁ । ଏହା ଉପରେ ଲାଲ କପଡ଼ାରେ ବନ୍ଧା ନଡ଼ିଆ ସ୍ଥାପନ କରି ପୂଜା ଆରମ୍ଭ କରନ୍ତୁ ।
ନବରାତ୍ରିର ୯ ଦିନରେ ମା’ଙ୍କ ୯ଟି ସ୍ୱରୂପଙ୍କୁ ପୂଜା କରାଯିବ । ୧୧ ଅକ୍ଟୋବରରେ ମା’ ଶୈଳପୁତ୍ରୀ, ୧୨ରେ ବ୍ରହ୍ମଚାରିଣୀ, ୧୩ରେ ଚନ୍ଦ୍ରଘଣ୍ଟା, ୧୪ରେ କୂଷ୍ମାଣ୍ଡା, ୧୫ରେ ସ୍କନ୍ଦମାତା, ୧୬ରେ କାତ୍ୟାୟନୀ, ୧୭ରେ କାଳରାତ୍ରୀ, ୧୮ରେ ମହାଗୌରୀ ଏବଂ ୧୯ ଅକ୍ଟୋବରରେ ମା’ ସିଦ୍ଧିଦାତ୍ରୀଙ୍କ ପୂଜା ହେବ । ଆଉ ଅକ୍ଟୋବର ୨୦ରେ ଦଶହରା, ଦୁର୍ଗା ବିସର୍ଜନ, ନବରାତ୍ରି ପାରଣ ଓ ଆୟୁଧ ପୂଜା ପାଳନ କରାଯିବ । ତେବେ ମା’ ଦୁର୍ଗାଙ୍କ ଆଗମନ ପାଇଁ ଏବେଠାରୁ ଚଳଚଞ୍ଚଳ ହେବ ଘରଠାରୁ ପୂଜାମଣ୍ଡପ । ଭକ୍ତି ଓ ଶ୍ରଦ୍ଧାର ସହ ମା’ଙ୍କ ଆରାଧନା କରି ମା’ଙ୍କ ଆଶୀର୍ବାଦ ଲାଭ କରିବାକୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ।






