ନୂଆପଡ଼ା: ଆଶ୍ରମ ସ୍କୁଲରେ ଛାତ୍ରଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଉଠିଲା ପ୍ରଶ୍ନ। ଜଣେ ୧୦ ବର୍ଷୀୟ ଛାତ୍ର ଦୀର୍ଘ ସମୟ ଧରି ନିଖୋଜ ରହିବା ପରେ ସ୍କୁଲ ପରିସରରେ ଥିବା ଏକ ପୁରୁଣା ଓ ପରିତ୍ୟକ୍ତ ଶୌଚାଳୟରୁ ଉଦ୍ଧାର ହେବା ଘଟଣାକୁ ନେଇ ଚିନ୍ତା ବଢ଼ିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ନୂଆପଡ଼ା ଫ୍ୟାମିଲି କାଉନ୍ସେଲିଂ ସେଣ୍ଟର ପକ୍ଷରୁ ସ୍କୁଲ ପରିଦର୍ଶନ କରାଯାଇ ଅନୁଧ୍ୟାନ ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ନିଖୋଜ ଛାତ୍ର ଜଣକ ହେଉଛନ୍ତି ପିୟୁଷ ଭୋଇ (୧୦)। ସେ ଚତୁର୍ଥ ଶ୍ରେଣୀର ଛାତ୍ର ଏବଂ ବଲାଙ୍ଗୀର ଜିଲ୍ଲାର ବୁଥର୍ଲା ଗ୍ରାମର ବାସିନ୍ଦା। ଘଟଣା ଦିନ ସକାଳ ପ୍ରାୟ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ସେ ନିଖୋଜ ରହିଥିଲେ। ପରେ ସ୍କୁଲ ପରିସରରେ ଥିବା ଏକ ପୁରୁଣା ପରିତ୍ୟକ୍ତ ଶୌଚାଳୟରୁ ତାଙ୍କୁ ଉଦ୍ଧାର କରାଯାଇଥିଲା।
ଘଟଣାର ପ୍ରକୃତ କାରଣ ଓ ପରିସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ନୂଆପଡ଼ା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଫ୍ୟାମିଲି କାଉନ୍ସେଲିଂ ସେଣ୍ଟରର ଶ୍ରୀମତୀ ଯଶୋବନ୍ତି ବାଗ ଓ କାର୍ତ୍ତିକ ବାଗ ଟିମନପୁର ଆଶ୍ରମ ସ୍କୁଲ ପରିଦର୍ଶନ କରିଥିଲେ।
ଅନୁଧ୍ୟାନ ସମୟରେ ଦଳ ସ୍କୁଲର ପାରିପାର୍ଶ୍ୱିକ ସ୍ଥିତି, ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଏବଂ ପରିତ୍ୟକ୍ତ ଶୌଚାଳୟର ସ୍ଥିତି ଯାଞ୍ଚ କରିଥିଲେ। ଏଥିସହ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ସେମାନଙ୍କ ପକ୍ଷରୁ ତଥ୍ୟ ସଂଗ୍ରହ କରିଥିଲେ।
ଅନ୍ୟପକ୍ଷରେ ନିଖୋଜ ଛାତ୍ର ପିୟୁଷ ଭୋଇ ଏବଂ ତାଙ୍କ ବାପା-ମାଆଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରାଯିବ। ଛାତ୍ରଙ୍କ ଅନୁଭୂତି, ଘଟଣା ପୂର୍ବ ଓ ପରବର୍ତ୍ତୀ ପରିସ୍ଥିତି ସହ ପରିବାରର ମତାମତକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯିବ।
ଏହି ଘଟଣା ଆଶ୍ରମ ସ୍କୁଲଗୁଡ଼ିକରେ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ତଦାରଖ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇଛି। ବିଶେଷକରି ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥିତି ଯାଞ୍ଚ, ଶିକ୍ଷକ ଓ କର୍ମଚାରୀଙ୍କ ନିୟମିତ ତଦାରଖ ଏବଂ ସ୍କୁଲ ପରିସରରେ ଥିବା ପରିତ୍ୟକ୍ତ ଭିତ୍ତିଭୂମିକୁ ସୁରକ୍ଷିତ କରିବା ଦିଗରେ ଅଧିକ ଗୁରୁତ୍ୱ ଦେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।
ଫ୍ୟାମିଲି କାଉନ୍ସେଲିଂ ସେଣ୍ଟରର ଏହି ଅନୁଧ୍ୟାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଘଟଣାର ବାସ୍ତବ ସ୍ଥିତି ଜାଣିବା ସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ଏବଂ ଛାତ୍ରଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିମନ୍ତେ ତଥ୍ୟ ସଂଗ୍ରହ କରିବା।






