ନୂଆପଡ଼ା, ୨୩/୧୧: ଦାଦନ ସମସ୍ୟାର ମୁକାବିଲା ସହ ସ୍ଥାନୀୟ ଅଞ୍ଚଳରେ ଜୀବିକା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଏକ ଅଭିନବ କାର୍ଯ୍ୟକ୍ରମ ‘ନୂଆପଡ଼ା ଉନ୍ମେଷ’। ସରକାରୀ ଯୋଜନାର ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ସହ ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାରକୁ ବିଭିନ୍ନ ସରକାରୀ ସହାୟତା ଯୋଗାଇଦେବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ରବିବାର କୋମନା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଅନ୍ୟା ଦାସ ଏହି ସ୍ୱତନ୍ତ୍ର ସମନ୍ୱିତ ଜନସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତପନ ନାରାୟଣ ରଥ, ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଇଶାନୀ ମିତ୍ର, ଉପଜିଲ୍ଲାପାଳ ସୁର୍ମି ସୋରେନ, ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଉପାଧ୍ୟକ୍ଷ ଜୟଦେବ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ପ୍ରଥମ ଦିନରେ ବହୁ ସଂଖ୍ୟାରେ ଲୋକ ଯୋଗଦେଇ ବିଭିନ୍ନ ସରକାରୀ ସେବା ଓ ଯୋଜନାର ସୁବିଧା ହାସଲ କରିଥିଲେ। ଶ୍ରମ ବିଭାଗ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ବିବାହ ସହାୟତା, ଶିକ୍ଷା ସହାୟତା ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣକାରୀ ସହାୟତା ବଣ୍ଟନ କରାଯିବା ସହ ଶ୍ରମିକ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଏଥିସହ ବିଭିନ୍ନ ବିଭାଗ ପକ୍ଷରୁ ସରକାରୀ ଯୋଜନା ସମ୍ପର୍କରେ ସଚେତନତା, ନୂତନ ପଞ୍ଜୀକରଣ, ଆବେଦନ ଗ୍ରହଣ ଓ ସେବା ପ୍ରଦାନ କରାଯାଇଥିଲା।
ଜିଲ୍ଲାରେ ପ୍ରତ୍ୟେକ ସୋମବାର ଆୟୋଜିତ ଜନଅଭିଯୋଗ ଶୁଣାଣି ଦିବସ ସହ ସମନ୍ୱିତ ଭାବେ ‘ନୂଆପଡ଼ା ଉନ୍ମେଷ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହାଦ୍ୱାରା ଗୋଟିଏ ସ୍ଥାନରେ ବିଭିନ୍ନ ବିଭାଗର ସେବା ଉପଲବ୍ଧ ହେବା ସହ ଯୋଜନା ସମ୍ପର୍କରେ ସୂଚନା, ନୂତନ ପଞ୍ଜୀକରଣ, ପୁରୁଣା ପଞ୍ଜୀକରଣର ନବୀକରଣ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ସହାୟତା ମିଳିପାରିବ।
ଶ୍ରମ ଓ ନିଯୁକ୍ତି ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ, ଶ୍ରମିକ କାର୍ଡର ନବୀକରଣ, ଇ-ଶ୍ରମ କାର୍ଡ ପଞ୍ଜୀକରଣ, ପ୍ରବାସୀ ଶ୍ରମିକ ପରିବାରଙ୍କ ଚିହ୍ନଟ ଓ ଯୁବକଯୁବତୀଙ୍କୁ ସେମାନଙ୍କ ଦକ୍ଷତା ଅନୁଯାୟୀ ସ୍ଥାନୀୟ ନିଯୁକ୍ତି ସହ ଯୋଡ଼ାଯିବ। ମନରେଗା ଯୋଜନାରେ ନୂତନ ଜବ୍ କାର୍ଡ ପ୍ରଦାନ, ନିଯୁକ୍ତି ପାଇଁ ଚାହିଦା ପଞ୍ଜୀକରଣ ଓ ଜୀବିକାଭିତ୍ତିକ କାର୍ଯ୍ୟ ଚିହ୍ନଟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।
ସେହିପରି ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ସଂଯୋଗ ସହ ଛେଳି ପାଳନ, ପନିପରିବା ଚାଷ ଭଳି ଆୟବର୍ଦ୍ଧକ କାର୍ଯ୍ୟକ୍ରମରେ ସାମିଲ କରାଯିବ। କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଏଗ୍ରି-ଷ୍ଟାକ୍, ପିଏମ୍-କିଷାନ, ସିଏମ୍-କିଷାନ ଆଦି ଯୋଜନାରେ ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦିଆଯିବ।
ଶିକ୍ଷା ଓ ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ଚିହ୍ନଟ କରି ପୁନଃ ନାମଲେଖା, ଛାତ୍ରବୃତ୍ତି ଓ ଛାତ୍ରାବାସ ସୁବିଧା ସମ୍ପର୍କରେ ସହାୟତା ଦିଆଯିବ। ଅନ୍ୟପକ୍ଷରେ ରାଜସ୍ୱ ଓ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆୟ ଓ ଜାତି ପ୍ରମାଣପତ୍ର, ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ପାଇଁ ପଞ୍ଜୀକରଣ, ଦିବ୍ୟାଙ୍ଗ ପ୍ରମାଣପତ୍ର, ୟୁଡିଆଇଡି କାର୍ଡ, ଆଧାର ଓ ବ୍ୟାଙ୍କ ଖାତା ସଂଯୋଗ ଭଳି ବିଭିନ୍ନ ସେବା ଯୋଗାଇ ଦିଆଯିବ।
ସରକାରୀ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା, ସ୍ଥାନୀୟ ଅଞ୍ଚଳରେ ରୋଜଗାର ଓ ଜୀବିକା ସୁଯୋଗ ବୃଦ୍ଧି କରିବା ସହ ଦାଦନ ପ୍ରବାସ ହ୍ରାସ କରିବା ଦିଗରେ ‘ନୂଆପଡ଼ା ଉନ୍ମେଷ’ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱିତ ପଦକ୍ଷେପ ଭାବେ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ ପାଇଛି।






