ଏ.କେ ବ୍ୟୁରୋ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତର ଗୋହିରା ଛକ ଠାରେ ଆଜି ଏକ ନୂତନ ସାପ୍ତାହିକ ହାଟର ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି ହାଟ ସ୍ଥାନୀୟ ଅଞ୍ଚଳର କୃଷକ, କ୍ଷୁଦ୍ର ବ୍ୟବସାୟୀ ଓ ସାଧାରଣ ଜନତାଙ୍କ ପାଇଁ ବାଣିଜ୍ୟିକ କାରବାରର ଏକ ନୂତନ କେନ୍ଦ୍ର ଭାବେ ଗଢ଼ି ଉଠିବ ବୋଲି ଉପସ୍ଥିତ ଅତିଥିମାନେ ଆଶା ପ୍ରକାଶ କରିଥିଲେ। ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରକାଶ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ରିଆମାଳ ଥାନା ଅଧିକାରୀ ବିନୟ କୁମାର କେରକେଟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ସାପ୍ତାହିକ ହାଟର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ତେନ୍ତେଳାବାହାଳ ସରପଞ୍ଚ ବସନ୍ତ କୁମାର ବେହେରା ଓ ସମାଜସେବୀ ପ୍ରଭାତ କୁମାର ସାହୁ ଯୋଗଦେଇ ଏହି ହାଟ ସ୍ଥାପନ ପାଇଁ ପଞ୍ଚାୟତର ପଦକ୍ଷେପକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ପଞ୍ଚାୟତର ସମସ୍ତ ୱାର୍ଡ ସଦସ୍ୟ, CRP, MBK, ପ୍ରାଣୀମିତ୍ର, କୃଷିମିତ୍ର, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବ୍ୟବସାୟୀ, ଚାଷୀ ଏବଂ ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଖାଉଟି ଓ ସାଧାରଣ ଜନସାଧାରଣ ଉପସ୍ଥିତ ରହିଥିଲେ। ଗ୍ରାମପଞ୍ଚାୟତର PEO ଜିତେନ୍ଦ୍ର ସାମଲ ଓ ପଞ୍ଚାୟତର ପିଅନ ରମେଶ ବାଘ ସମଗ୍ର କାର୍ଯ୍ୟକ୍ରମର ସୁପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ଭକ୍ତିମୟ ପରିବେଶରେ ପରିଣତ କରିବା ପାଇଁ ପେଣ୍ଡ୍ରାଖୋଳ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ହରିନାମ ସଂକୀର୍ତ୍ତନ ଓ ଭଜନ ପରିବେଷଣ କରାଯାଇଥିଲା, ଯାହା ଉପସ୍ଥିତ ଜନସାଧାରଣଙ୍କୁ ବେଶ୍ ଆକର୍ଷିତ କରିଥିଲା।
ନୂତନ ସାପ୍ତାହିକ ହାଟ ଆରମ୍ଭ ହେବା ଫଳରେ ସ୍ଥାନୀୟ କୃଷକମାନେ ସେମାନଙ୍କ କୃଷିଜାତ ଉତ୍ପାଦ ସିଧାସଳଖ ବିକ୍ରୟ କରିବାର ସୁଯୋଗ ପାଇବା ସହିତ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ରୋଜଗାରର ନୂତନ ଦ୍ୱାର ଉନ୍ମୁକ୍ତ ହେବ। ଏହା ସହିତ ଗୋହିରାଛକ ଓ ଏହାର ଆଖପାଖ ଅଞ୍ଚଳର ଆର୍ଥିକ ଓ ବାଣିଜ୍ୟିକ ବିକାଶରେ ଏହି ସାପ୍ତାହିକ ହାଟ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ମତ ପ୍ରକାଶ କରିଛନ୍ତି।






