ଏ.କେ ବ୍ୟୁରୋ : ଭାରତର ସଫଳ ଚନ୍ଦ୍ରଯାନ-୩ ମିଶନ ଏହାର ଅଭିଯାନ ଶେଷ କରିବାର ଦୀର୍ଘ ସମୟ ପରେ ମଧ୍ୟ ବିଶ୍ୱ ମହାକାଶ ବିଜ୍ଞାନ ଜଗତକୁ ଚକିତ କଲାଭଳି ନୂଆ ନୂଆ ତଥ୍ୟ ପ୍ରଦାନ କରିବାରେ ଲାଗିଛି। ଭାରତର ସଫଳ ଚନ୍ଦ୍ରଯାନ-୩ ମିଶନ ଏହାର ଅଭିଯାନ ଶେଷ କରିବାର ଦୀର୍ଘ ସମୟ ପରେ ମଧ୍ୟ ବିଶ୍ୱ ମହାକାଶ ବିଜ୍ଞାନ ଜଗତକୁ ଚକିତ କଲାଭଳି ନୂଆ ନୂଆ ତଥ୍ୟ ପ୍ରଦାନ କରିବାରେ ଲାଗିଛି। ମିଶନର ଶେଷ ସମୟରେ ବିକ୍ରମ ଲାଣ୍ଡର ଦ୍ୱାରା କରାଯାଇଥିବା ଏକ ଅପରିକଳ୍ପିତ ”ହପ୍ ଏକ୍ସପେରିମେଣ୍ଟ” ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ମେରୁର ଭୂତତ୍ତ୍ୱକୁ ବୁଝିବାରେ ଏକ ବଡ଼ ସଫଳତା ଆଣିଦେଇଛି। ଏହି ନୂତନ ଆବିଷ୍କାର ଆମେରିକାର ମହାକାଶ ସଂସ୍ଥା ”ନାସା” କୁ ତା’ର ଆଗାମୀ ”ଆର୍ଟେମିସ୍ ମିଶନ” ଜରିଆରେ ଚନ୍ଦ୍ରପୃଷ୍ଠରେ ଏକ ସ୍ଥାୟୀ ବେସ୍ ସ୍ଥାପନ କରିବା ଦିଗରେ ବେଶ୍ ସହାୟକ ହେବ।

ତେବେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ପରୀକ୍ଷଣର ପ୍ରଭାବ ଆହୁରି ଗଭୀର ସାବ୍ୟସ୍ତ ହୋଇଛି। ବିକ୍ରମ ଲାଣ୍ଡରର ରକେଟ୍ ପ୍ରେରଣ ଯୋଗୁଁ ଚନ୍ଦ୍ରପୃଷ୍ଠର ଉପରିଭାଗରେ ଥିବା ପ୍ରାୟ ୩ ସେଣ୍ଟିମିଟର ମୋଟାର କୋମଳ ଓ ଛିଦ୍ରଯୁକ୍ତ ମାଟିର ଆସ୍ତରଣ ଉଡ଼ିଯାଇଥିଲା। ଏହାଫଳରେ ଲାଣ୍ଡରରେ ଥିବା ”ଚାଷ୍ଟେ” ପେଲୋଡ୍ ପ୍ରଥମ ଥର ପାଇଁ ଚନ୍ଦ୍ରର ଭିତର ସ୍ତରର ମାଟିକୁ ସିଧାସଳଖ ଅନୁଧ୍ୟାନ କରିବାର ସୁଯୋଗ ପାଇଥିଲା। ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ ଚନ୍ଦ୍ରର ଦକ୍ଷିଣ ମେରୁର ମାଟି ସମାନ ନୁହେଁ, ବରଂ ଏହା ଏକ କେକ୍ ଭଳି ସ୍ତରୀୟ ଢାଞ୍ଚାରେ ରହିଛି । ଉପରିଭାଗ ଅତି କୋମଳ ହୋଇଥିବା ବେଳେ ମାତ୍ର କିଛି ସେଣ୍ଟିମିଟର ତଳେ ଥିବା ମାଟି ଅତ୍ୟନ୍ତ ଶକ୍ତ ଓ ଏହାର ତାପଜ ଓ ଯାନ୍ତ୍ରିକ ଗୁଣ ସମ୍ପୂର୍ଣ୍ଣ ଭିନ୍ନ। ଅତି କମ୍ ଦୂରତା ମଧ୍ୟରେ ମାଟିର ଏଭଳି ଦ୍ରୁତ ପରିବର୍ତ୍ତନ ବୈଜ୍ଞାନିକମାନଙ୍କୁ ଚକିତ କରିଛି । ଏହା ସହିତ ଚନ୍ଦ୍ରରେ ସୂର୍ଯ୍ୟାସ୍ତ ସମୟରେ ଏହି ମାଟି କିଭଳି ଧୀରେ ଧୀରେ ଶୀତଳ ହୁଏ ଏବଂ ବିକିରଣ ଛାଡ଼େ, ତାହା ମଧ୍ୟ ଏହି ମିଶନ ରିଅଲ-ଟାଇମରେ ରେକର୍ଡ କରିବାରେ ସଫଳ ହୋଇଛି। ବର୍ତ୍ତମାନ ସମଗ୍ର ବିଶ୍ୱର ନଜର ଚନ୍ଦ୍ରର ଦକ୍ଷିଣ ମେରୁ ଉପରେ ରହିଛି, କାରଣ ଏହି ଅଞ୍ଚଳର ଅନ୍ଧକାର ଗର୍ତ୍ତଗୁଡ଼ିକରେ ବହୁ ପରିମାଣରେ ବରଫ ସ୍ୱରୂପରେ ଜଳ ଥିବା ଅନୁମାନ କରାଯାଉଛି । ଏଭଳି ସ୍ଥିତିରେ ଚନ୍ଦ୍ରପୃଷ୍ଠରେ ଭବିଷ୍ୟତରେ ମାନବ ବସତି ସ୍ଥାପନ, ଖନନ ଓ ମହାକାଶଚାରୀମାନଙ୍କ ସୁରକ୍ଷା ପାଇଁ ମାଟିର ଏହି ଜଟିଳ ଆଭ୍ୟନ୍ତରୀଣ ଗଠନକୁ ବୁଝିବା ନିହାତି ଜରୁରୀ ଥିଲା। ପୂର୍ବରୁ ୨୦୦୮ ମସିହାରେ ଭାରତର ଚନ୍ଦ୍ରଯାନ-୧ ମିଶନ ଚନ୍ଦ୍ରରେ ଜଳର ସନ୍ଧାନ କରି ସମଗ୍ର ବିଶ୍ୱର ଚିନ୍ତାଧାରା ବଦଳାଇ ଦେଇଥିଲା। ଏବେ ଚନ୍ଦ୍ରଯାନ-୩ର ଏହି ଅପରିକଳ୍ପିତ ସଫଳତା ସୂଚାଇ ଦେଇଛି ଯେ, ଚନ୍ଦ୍ରପୃଷ୍ଠର ସୂକ୍ଷ୍ମ ରହସ୍ୟଗୁଡ଼ିକ ଏବେ ମଧ୍ୟ ଗୋଟିଏ ପରେ ଗୋଟିଏ ସ୍ତର ଖୋଲିବା ଅପେକ୍ଷାରେ ରହିଛି, ଯାହା ଆଗାମୀ ଦିନରେ ବିଶ୍ୱ ମହାକାଶ ଅଭିଯାନକୁ ଏକ ନୂଆ ଦିଗ ଦେବ।






