ନୂଆଦିଲ୍ଲୀ,ଏ.କେ ବ୍ୟୁରୋ : ଏନ୍ଇଇଟି ପେପର୍ ଲିକ୍ ମାମଲାର ଶୁଣାଣି ସମୟରେ ସୋମବାର ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହା ଦୁଃଖଦ ଯେ, ପରୀକ୍ଷା ପେପର୍ ଲିକ୍ ଘଟଣାର ପୂର୍ବ ମାମଲାରୁ ଏନ୍ଇଟି କୌଣସି ଶିକ୍ଷା ଲାଭ କରି ପାରିନାହିଁ। ଏନ୍ଇଇଟି ଏବଂ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷା ପରିଚାଳନା କରୁଥିବା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସଂସ୍ଥା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ବିରୋଧରେ ଦାୟର ଏକ ଆବେଦନର ଶୁଣାଣି କରି କୋର୍ଟ ଏଭଳି କହିଛନ୍ତି।
ଏନ୍ଇଇଟି-ୟୁଜି ୨୦୨୬ ପରୀକ୍ଷାରେ ପେପର ଲିକ୍ ସମ୍ପର୍କରେ ଦାୟର ଆବେଦନ ଉପରେ କୋର୍ଟ କେନ୍ଦ୍ର ସରକାର ଏବଂ ଶିକ୍ଷା ମନ୍ତ୍ରଣାଳୟକୁ ନୋଟିସ୍ ଜାରି କରିଛନ୍ତି। କୋର୍ଟ ଏନ୍ଟିଏକୁ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଗଠନ ହେବାକୁ ଥିବା ମନିଟରିଂ କମିଟିର ସ୍ଥିତି ବିଷୟରେ ମଧ୍ୟ ଅବଗତ କରାଇବାକୁ କହିଛନ୍ତି।
କୋର୍ଟ ଏନ୍ଟିଏକୁ ବଦଳାଇବା ତଥା ପୁନଃପରୀକ୍ଷା ପାଇଁ କରାଯାଇଥିବା ଏକ ଆବେଦନର ଶୁଣାଣି କରି ଏଭଳି ମତବ୍ୟକ୍ତ କରିଛନ୍ତି। ଏନ୍ଇଇଟି ପରିଚାଳନାରେ ଏନ୍ଟିଏର କଥିତ ବ୍ୟବସ୍ଥିତ ବିଫଳତାକୁ ଚ୍ୟାଲେଞ୍ଜ କରି ଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (ଏଫ୍ଏଆଇଏମ୍ଏ)କୋର୍ଟଙ୍କର ଦ୍ୱାରସ୍ଥ ହୋଇଛି। ଆଇନଜୀବୀ ତନଭି ଦୁବେଙ୍କ ମାଧ୍ୟମରେ ଦାଖଲ କରାଯାଇଥିବା
ଏହି ଆବେଦନରେ ଏନ୍ଟିଏକୁ ବଦଳାଇବା କିମ୍ବା ମୌଳିକ ଭାବରେ ପୁନର୍ଗଠନ କରିବା ଏବଂ ନ୍ୟାୟିକ ତତ୍ତ୍ୱାବଧାନରେ ଏକ ନୂତନ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦାବି କରାଯାଇଛି।
ଏନ୍ଇଇଟି ପରୀକ୍ଷା ପରିଚାଳନା ପାଇଁ ଏନ୍ଟିଏ ବଦଳରେ ଏକ ଅଧିକ ସୁଦୃଢ଼, ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ସ୍ୱାୟତ୍ତ ସଂସ୍ଥା ନିଯୁକ୍ତି କରିବା ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦାବି କରାଯାଇଛି।
କେନ୍ଦ୍ର ସରକାର ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଛନ୍ତି। ଏକ ନୂତନ ସ୍ୱାଧୀନ ପରୀକ୍ଷା ସଂସ୍ଥା ଆନୁଷ୍ଠାନିକ ଭାବରେ ଗଠନ ନହେବା ପର୍ଯ୍ୟନ୍ତ ଏନ୍ଇଇଟି ପୁନଃ ପରିଚାଳନା ତଦାରଖ କରିବା ପାଇଁ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏବଂ ଜଣେ ସାଇବର ସୁରକ୍ଷା ବିଶେଷଜ୍ଞ ତଥା ଜଣେ ଫୋରେନସିକ୍ ବିଶେଷଜ୍ଞଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ତଦାରଖ କମିଟି ଗଠନ କରିବାକୁ ମଧ୍ୟ ଆବେଦନରେ ଦାବି କରାଯାଇଛି।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






