ଏ.କେ ବ୍ୟୁରୋ : ରାଜ୍ୟରେ ବିଜେପି ସରକାର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ହେବାକୁ ଥିବା ବାର୍ଷିକ ଉତ୍ସବରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସରେ ଏହି ସୂଚନା ଦେଇଛନ୍ତି । 
ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମାଝୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାର ଭିତ୍ତିଭୂମିର ବିକାଶ, ପୁଞ୍ଜିନିବେଶ ସୁଯୋଗର ସମ୍ପ୍ରସାରଣ ଏବଂ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଆଗକୁ ନେବା ସମ୍ପର୍କରେ ସକାରାତ୍ମକ ଆଲୋଚନା ହୋଇଛି। ଏହାସହ ଓଡ଼ିଶାବାସୀଙ୍କ ସେବାରେ ସରକାରଙ୍କ ଦ୍ଵିତୀୟ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି । ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ମାର୍ଗଦର୍ଶନ ଓ ସହଯୋଗ ନିମନ୍ତେ ଆନ୍ତରିକ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ କଟକର ତାରକସୀ କାମ ଏକ ବୋଇତ ପ୍ରଧାନମନ୍ତ୍ରୀଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି ।






