ଏ.କେ ବ୍ୟୁରୋ : ପ୍ରଭୁ ଶ୍ରୀରାମଙ୍କ ଜୀବନ କେବଳ ଏକ କାହାଣୀ ନୁହେଁ, ଏହା ଆମ ଜୀବନ ପାଇଁ ଏକ ବଡ଼ ଶିକ୍ଷା । ରାମାୟଣରେ ତାଙ୍କ ଜୀବନର ଅନେକ ଘଟଣା ରହିଛି । ଯାହା ଆମକୁ ସତ୍ୟ, ତ୍ୟାଗ, ଧୈର୍ଯ୍ୟ ଓ କର୍ତ୍ତବ୍ୟର ପଥ ଦେଖାଏ ।
ପ୍ରଥମ ଶିକ୍ଷା :
ପ୍ରଥମ ଶିକ୍ଷା ହେଉଛି ବାପା-ମାଆଙ୍କ କଥାର ସମ୍ମାନ । ଶ୍ରୀରାମଙ୍କ ରାଜା ହେବାର ସମୟ ଆସିଥିଲା । କିନ୍ତୁ ପିତା ଦଶରଥଙ୍କ ବଚନ ରକ୍ଷା କରିବା ପାଇଁ ସେ ରାଜ୍ୟ ଛାଡ଼ି ୧୪ ବର୍ଷ ପାଇଁ ବନବାସକୁ ଚାଲିଯାଇଥିଲେ । ଏଥିରୁ ଆମେ ଶିଖୁ ଯେ, ନିଜ ସ୍ୱାର୍ଥ ଅପେକ୍ଷା କର୍ତ୍ତବ୍ୟ ବଡ଼।
ଦ୍ୱିତୀୟ ଶିକ୍ଷା:
ଦ୍ୱିତୀୟ ଶିକ୍ଷା ହେଉଛି ଭାଇଭାଇଙ୍କ ଭଲପାଇବା । ଭରତ ଚାହିଁଥିଲେ ରାଜସିଂହାସନ ଗ୍ରହଣ କରିପାରିଥାନ୍ତେ । କିନ୍ତୁ ସେ ତାହା କରିନଥିଲେ । ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ରଖି ତାଙ୍କ ପ୍ରତିନିଧି ଭାବେ ରାଜ୍ୟ ଚଳାଇଥିଲେ । ଯାହା ଭାଇ ପ୍ରତି ତାଙ୍କ ଭଲପାଇବା ଓ ତ୍ୟାଗକୁ ଦର୍ଶାଏ ।
ତୃତୀୟ ଶିକ୍ଷା:
ତୃତୀୟ ଶିକ୍ଷା ହେଉଛି ବିପଦ ଆସିଲେ ଭାଙ୍ଗି ନପଡ଼ିବା । ବନବାସ ସମୟରେ ଶ୍ରୀରାମ ଅନେକ କଷ୍ଟର ସାମ୍ନା କରିଥିଲେ । ସୀତାଙ୍କ ଅପହରଣ ପରେ ମଧ୍ୟ ସେ ନିଜ ଲକ୍ଷ୍ୟରୁ ଦୂରେଇ ଯାଇନଥିଲେ । ଧୈର୍ଯ୍ୟ ଓ ସାହସ ସହ ଆଗକୁ ବଢ଼ିଥିଲେ ।
ଚତୁର୍ଥ ଶିକ୍ଷା :
ଚତୁର୍ଥ ଶିକ୍ଷା ହେଉଛି ନ୍ୟାୟ ଓ ମର୍ଯ୍ୟାଦା। ଶ୍ରୀରାମଙ୍କୁ ଧର୍ମ ଓ ମର୍ଯ୍ୟାଦାର ଆଦର୍ଶ ଭାବେ ଦେଖାଯାଏ । କଠିନ ପରିସ୍ଥିତିରେ ମଧ୍ୟ ସେ ନୀତିର ପଥ ଛାଡ଼ିନଥିଲେ ।
ପଞ୍ଚମ ଶିକ୍ଷା :
ପଞ୍ଚମ ଶିକ୍ଷା ହେଉଛି ଭଲ ଶାସନ ଓ ଲୋକଙ୍କ କଲ୍ୟାଣ। ଶ୍ରୀରାମଙ୍କ ଆଦର୍ଶ ଶାସନକୁ ‘ରାମରାଜ୍ୟ’ ବୋଲି କୁହାଯାଏ । ନ୍ୟାୟ, ସତ୍ୟ ଓ ପ୍ରଜାଙ୍କ ସୁଖକୁ ଏହାର ମୁଖ୍ୟ ଆଧାର ଭାବେ ଦେଖାଯାଏ ।
ତେଣୁ ଶ୍ରୀରାମଙ୍କ ଜୀବନ ଆମକୁ ଗୋଟିଏ ବଡ଼ କଥା ଶିଖାଏ । ପରିସ୍ଥିତି ଯେତେ କଠିନ ହେଉ, ସତ୍ୟ, ଧୈର୍ଯ୍ୟ, କର୍ତ୍ତବ୍ୟ ଓ ଭଲ କାମର ପଥ କେବେ ଛାଡ଼ିବା ଉଚିତ ନୁହେଁ ।






