ଏ.କେ ବ୍ୟୁରୋ : ନଦୀକୁ ଡେଇଁ ଯୁବକ ନିଖୋଜ । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଶିଖର ଘାଟ ପୋଲ ଉପରୁ ନଦୀକୁ ଡେଇଁଲେ ଯୁବକ । ଶିଖର ଘାଟ ଦେବୀ ନଦୀ ପୋଲ ଉପରେ ଗାଡିରଖି ଦେବୀ ନଦୀକୁ ଡେଇଁ ପଡ଼ିଛନ୍ତି ଯୁବକ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ । ନିଖୋଜ ଯୁବକ ହେଉଛନ୍ତି ତିହୁଡା ଗାଁର ଶିଖର ପାଢ଼ୀଙ୍କ ୨୨ ବର୍ଷୀୟ ପୁଅ ଶୈଲେଶ ପାଢ଼ୀ ।

ସୂଚନା ଅନୁସାରେ, ଆଜି ଭୋର ସମୟରେ ଶୈଲେଶ ପାଢ଼ୀ ଦେବୀ ନଦୀ ଘାଟ ପୋଲ ଉପରେ ନିଜ ସ୍କୁଟିକୁ ରଖି ଦେବୀ ନଦୀକୁ ଡେଇଁ ପଡ଼ିଥିଲେ । ତେବେ ଦୀର୍ଘ ସମୟ ଧରି ସ୍କୁଟି ଟି ପୋଲ ଉପରେ ରହିଥିବା ଦେଖି ସ୍ଥାନୀୟ ଲୋକେ ନାଉଗାଁ ଅଗ୍ନିଶମ ବାହିନୀ ସହ ନାଉଗାଁ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ନାଉଗାଁ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀ ଭିତରେ ନିଖୋଜ ଯୁବକଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି । ତେବେ ଶୈଲେଶ କାହିଁକି ନଦୀକୁ ଡେଇଁଲେ, ଏହା ପଛରେ କଣ କାରଣ ରହିଛି, ସେନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ସନ୍ଧାନ କାର୍ଯ୍ୟ ଜାରି ରହିଛି ।






