ଏ.କେ ବ୍ୟୁରୋ : ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ସିକକାଙ୍କୁ ରାୟଗଡ଼ା ପୁଲିସ ଗିରଫ କରିଛି। ଲାଞ୍ଜିଗଡ଼ ମୁନସିଫ କୋର୍ଟରୁ ବାହାରି ମାର୍କେଟ ଅଭିମୁଖେ ଯାଉଥିବା ସମୟରେ ପୁରୁଣା ମାମଲାକୁ ନେଇ ପୁଲିସ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ପରେ ତାଙ୍କୁ କଲ୍ୟାଣସିଂହପୁର ଥାନା ଦେଇ ରାୟଗଡ଼ା ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ଅଣାଯାଇଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ଚାରିଟି ବୋଲେରୋ ଗାଡ଼ିରେ ପୁଲିସ ଲଦ ସିକକାଙ୍କୁ ନେଇ ରାୟଗଡ଼ା ଅଭିମୁଖେ ଯାଇଥିଲା। ପାରସାଲି ପଞ୍ଚାୟତ ଅନ୍ତର୍ଗତ ଲାଖପଦର ଗାଁର ବାସିନ୍ଦା ଲଦ ସିକକା ଦୀର୍ଘ ବର୍ଷ ଧରି ନିୟମଗିରି ପାହାଡ଼ର ସୁରକ୍ଷା ନିମନ୍ତେ ଆନ୍ଦୋଳନ କରିଆସୁଛନ୍ତି। ତାଙ୍କ ବିରୋଧରେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି। ରାଜ୍ୟ ପୁଲିସର ଜଣେ ଅଧିକାରୀ ନାମ ପ୍ରକାଶ ନକରି କହିଛନ୍ତି ଯେ, ଲଦ ସିକକାଙ୍କୁ ଗିରଫ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା। ଉକ୍ତ ନିର୍ଦ୍ଦେଶ ଆଧାରରେ ତାଙ୍କୁ ଅଣାଯାଇଛି। ତାଙ୍କୁ କୋର୍ଟରେ ହାଜର କରାଯିବ ଏବଂ ବିଚାରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ପ୍ରକାଶ ଥାଉକି, କିଛିଦିନ ତଳେ ୨୦୧୭ ମସିହାର ମାମଲା ନମ୍ବର ୩୪୯/୨୦୧୭କୁ ଆଧାର କରି ଲାଞ୍ଜିଗଡ଼ ମୁନସିଫ କୋର୍ଟର ମାଜିଷ୍ଟ୍ରେଟ ଏକ ଆଦେଶ ଜାରି କରିଥିଲେ। ଏଥିରେ ଲଦ ସିକକାଙ୍କୁ ପଳାତକ ଘୋଷଣା କରିବା ସହ ତାଙ୍କ ସମ୍ପତ୍ତି ଜବତ କରିବା ପାଇଁ କଲ୍ୟାଣସିଂହପୁର ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଉକ୍ତ ମାମଲାରେ ଲଦ ସିକକାଙ୍କ ବିରୋଧରେ ଅପରାଧିକ ଆଇନ ସଂଶୋଧନ ଅଧିନିୟମର ଧାରା ୭ ସମେତ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରାରେ ଅଭିଯୋଗ ରହିଥିବା କୁହାଯାଇଛି। ତେବେ ଲଦ ସିକକାଙ୍କୁ ଠିକ୍ କେଉଁ ମାମଲାରେ ଗିରଫ କରାଯାଇଛି, ସେନେଇ ପୁଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।
ରାୟଗଡ଼ାରୁ ନରେନ୍ଦ୍ର ନିଶାଲଙ୍କ ରିପୋର୍ଟ ଆପଣଙ୍କ ଖବର






