ଏ.କେ ବ୍ୟୁରୋ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଡେରଙ୍ଗ ଭଣେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପିଅନଙ୍କ ବଦଳିକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ବଦଳି ଆଦେଶ ବାତିଲ ଦାବିରେ ମଙ୍ଗଳବାର ସକାଳ ୯ଟାରେ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକମାନେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ ଜଣାଇଛନ୍ତି। ସୂଚନା ଅନୁଯାୟୀ, ବିଦ୍ୟାଳୟରେ କାର୍ଯ୍ୟରତ ପିଅନ ମମତା ସାହୁ ଙ୍କ ବଦଳି ଗତ ଅକ୍ଟୋବର ୨୭ ତାରିଖର ଚିଠି ନମ୍ବର ୯୫୭୯ ଅନୁସାରେ କଣିହାଁସ୍ଥିତ ପିଏମ୍ଶ୍ରୀ ପବିତ୍ରମୋହନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ କରାଯାଇଥିଲା।
ଏହି ବଦଳି ସମ୍ପର୍କରେ ସ୍କୁଲ ପରିଚାଳନା କମିଟି, ସରପଞ୍ଚ ଓ ସମିତି ସଭ୍ୟ ଜାଣିବା ପରେ ଗତ ୩୧ ତାରିଖରେ ଅନୁଗୋଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ବଦଳି ଆଦେଶ ବାତିଲ କରିବାକୁ ଦାବି କରିଥିଲେ। ଏହାର ଉତ୍ତରରେ ନଭେମ୍ବର ୨ ତାରିଖରେ ବଦଳି ବାତିଲ ସମ୍ପର୍କରେ ଜଣାଇ ଦିଆଯିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ପ୍ରତିଶ୍ରୁତି ମିଳିଥିବା କମିଟି ସଦସ୍ୟମାନେ କହିଛନ୍ତି। ତେବେ ଏ ନେଇ କୌଣସି ସ୍ପଷ୍ଟ ନିଷ୍ପତ୍ତି ନ ମିଳିବାରୁ ମଙ୍ଗଳବାର ତାଲା ପକାଇ ପ୍ରତିବାଦ କରିଥିଲା। ସ୍କୁଲ ପରିଚାଳନା କମିଟି ସଭାପତି ଅକ୍ଷୟ ନାଏକଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦରେ ଡେରଙ୍ଗ ସରପଞ୍ଚ ସଂଯୁକ୍ତା ବେହେରା, ନାଏବ ସରପଞ୍ଚ ବୁଲୁ ସାହୁ, ସମିତି ସଭ୍ୟ ସନ୍ତୋଷ ନାଏକ, ବିଜେପି ପଞ୍ଚାୟତ ସଭାପତି ସୁମନ୍ତ ମହାନ୍ତି, ବିଜେଡି ପଞ୍ଚାୟତ ସଭାପତି ପୁରୁଷୋତ୍ତମ ସାହୁ,ଗ୍ରାମ ସଭାପତି ପ୍ରଶ୍ନ ନାଏକ, ଟିକନ ମହାନ୍ତି,ସନ୍ତୋଷ ବେହେରା, ସଞ୍ଜୟ ବେହେରା , ବରିଷ୍ଠ କଂଗ୍ରେସ ନେତା ଲୋକନାଥ ବେହେରା, ଯୁବନେତା ଅନିଲ ସାହୁ ଓ ଦିଲ୍ଲୀପ ପ୍ରଧାନଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିଲେ। କମିଟି ସଭାପତି ଓ ସମିତି ସଭ୍ୟଙ୍କ କହିବା ଅନୁଯାୟୀ, ଭଣେଶ୍ୱରୀ ହାଇସ୍କୁଲରେ ବର୍ତ୍ତମାନ ମାତ୍ର ୨ ଜଣ ପିଅନ କାର୍ଯ୍ୟରତ ଅଛନ୍ତି। ସେଥିରୁ ବରିଷ୍ଠ ପିଅନ ଆସନ୍ତା ମାସରେ ଅବସର ଗ୍ରହଣ କରିବେ। ତେଣୁ ତାଙ୍କ ପରେ ବିଦ୍ୟାଳୟରେ ପିଅନ ପଦବି ଜଣେ ରହିବ।
ଏଭଳି ସ୍ଥିତିରେ ବର୍ତ୍ତମାନ ଜଣେ ମାତ୍ର କାର୍ଯ୍ୟରତ ପିଅନ ଙ୍କ ବଦଳି ହେଲେ ବିଦ୍ୟାଳୟର ଦୈନନ୍ଦିନ କାର୍ଯ୍ୟ, ଅଫିସ ପରିଚାଳନା ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟରେ ଗୁରୁତର ଅସୁବିଧା ହେବ। ଏଣୁ ବଦଳି ଆଦେଶ ତୁରନ୍ତ ବାତିଲ କରିବାକୁ ସରପଞ୍ଚ, ସମିତି ସଭ୍ୟ ଓ ଅଭିଭାବକମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ପ୍ରାୟ ୩୫ ବର୍ଷ ପୂର୍ବେ ଡେରଙ୍ଗ ପଞ୍ଚାୟତବାସୀଙ୍କ ଅବଦାନ ଓ ନିଜସ୍ୱ ଅର୍ଥରେ ଏହି ବିଦ୍ୟାଳୟ ଗଢ଼ି ଉଠିଥିଲା। ସେହି ସମୟରେ ଗ୍ରାମବାସୀ ନିଜ ଉଦ୍ୟମରେ ବିଦ୍ୟାଳୟ ନିର୍ମାଣ କରିବା ସହ ଶିକ୍ଷକମାନଙ୍କ ଦରମା ମଧ୍ୟ ବହନ କରୁଥିଲେ ବୋଲି ପଞ୍ଚାୟତର ବରିଷ୍ଠ ବୁଦ୍ଧିଜୀବୀ ସ୍ମୃତିଚାରଣ କରିବା ଶହ ଶିକ୍ଷା ବିଭାଗ କିଭଳି ଭାବେ ବୈମାରତୁରିକ ମନଭାବ ପୋଷଣ କରୁଛନ୍ତି ବୋଲି ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ସରକାର ଏହାକୁ ନିଜ ଅଧୀନକୁ ନେଇଥିଲେ। ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ, ଗଣ୍ଡବେରେଣା ରିଜିଓନାଲ ହାଇସ୍କୁଲରେ ତିନି ଜଣ ଏବଂ ବଡ଼ଗୁଣ୍ଡୁରୀ ଡାକେଶ୍ୱରୀ ବାଳିକା ହାଇସ୍କୁଲରେ ତିନି ଜଣ ପିଅନ କାର୍ଯ୍ୟରତ ଥିବାବେଳେ ସେଠାରୁ ଜଣଙ୍କୁ ଡେପୁଟେସନରେ ଆଣିବା ପରିବର୍ତ୍ତେ ଭଣେଶ୍ୱରୀ ହାଇସ୍କୁଲକୁ ପିଅନଶୂନ୍ୟ କରିବା ଭଳି ନିଷ୍ପତ୍ତି କାହିଁକି ନିଆଯାଉଛି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ବିଦ୍ୟାଳୟର ଶିକ୍ଷାଦାନ ଓ ପ୍ରଶାସନିକ କାର୍ଯ୍ୟରେ ଯେପରି ବାଧା ସୃଷ୍ଟି ନ ହୁଏ, ସେଥିପାଇଁ ଶିକ୍ଷା ବିଭାଗ ତୁରନ୍ତ ଏହି ବଦଳି ଆଦେଶର ପୁନର୍ବିଚାର କରିବା ସହ ସମସ୍ୟାର ସମାଧାନ କରୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।
ଅନୁଗୋଳ ରୁ ଶ୍ୟାମଘନ ନାୟକଙ୍କ ରିପୋର୍ଟ ଆପଣଙ୍କ ଖବର






