ଏ.କେ ବ୍ୟୁରୋ : ପୁରୀରେ ପ୍ରବଳ ବର୍ଷା । ତାଳଧ୍ବଜ ରଥର ଦକ୍ଷିଣମୋଡ଼ ସ୍ଥଗିତ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ତାଳଧ୍ବଜ ରଥର ଦକ୍ଷିଣମୋଡ଼ ସ୍ଥଗିତ ରଖାଯାଇଛି । ସେହିପରି ନନ୍ଦିଘୋଷ ରଥର ମଧ୍ୟ ଦକ୍ଷିଣ ମୋଡ଼ ହୋଇପାରିନାହିଁ । ଆସନ୍ତାକାଲି ଦକ୍ଷିଣମୋଡ଼ କରାଯିବ । ୨୪ ତାରିଖରେ ବାହୁଡାଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆଜି ତିନି ବାଡ଼ରୁ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନିରଥ ନିକଟକୁ ଆସିବା ପରେ ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା।
ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ କରି ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ଆଗରେ ରଖାଯାଇଛି । ହେଲେ ପୁରୀରେ ପ୍ରବଳ ବର୍ଷା ଯୋଗୁ ତାଳଧ୍ବଜ ଓ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ହୋଇପାରିନାହିଁ । ଏପଟେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ସରି ସରି ଆସୁଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳାଖେଳା ।
ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଆସନ୍ତା ୨୩ ତାରିଖରେ ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ। ଏହି ଅବସରରେ ଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହେବ। ବାହୁଡା଼ ଯାତ୍ରା ଓ ସୁନାବେଶରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି।






