ଏ.କେ ବ୍ୟୁରୋ : ରାୟଗଡା ପୁଲିସ ହାତରେ ଧରାପଡିଛି ଟପ ମାଓ ନେତା ସର୍ବେଶ ମାଝି ଓରଫ ମଙ୍ଗୁ I ଗୁଇନ୍ଦା ବିଭାଗ କୌଣସି ସୂତ୍ରରୁ ଖବର ପାଇ ମୁନିଗୁଡା ବ୍ଲକ ଅଂଚଳରୁ ମଙ୍ଗୁକୁ ଧରିଥିବା ସୂଚନା ମିଳିଛି I ଦହିଖାଲ ଅଂଚଳରୁ ପୁଲିସ ଧରିଥିବା ଜଣାପଡିଛି I କିନ୍ତୁ ରାୟଗଡା ପୁଲିସ ଏନେଇ କୌଣସି ସୂଚନା ପ୍ରଦାନ କରିନାହିଁ I ମଙ୍ଗୁକୁ ପ୍ରଥମେ ମୁନିଗୁଡା ଥାନାକୁ ଅଣାଯାଇ ପରେ ଗୁପ୍ତ ସ୍ଥାନରେ ପଚରା ଉଚରା କରୁଥିବା ଜଣାପଡିଛି I ମଙ୍ଗୁ କୁ ପୁଲିସ ଗିରଫ କରିଛି କି ସେ ଆତ୍ମସମର୍ପଣ କରିଛି ସ୍ପଷ୍ଟ ହୋଇନି I

ଏଠାରେ ସୂଚନାଯୋଗ୍ୟଯେ ଚଳିତ ବର୍ଷ ମାର୍ଚ୍ଚ ୩୧ ମାଓ ମୁକ୍ତ ହେବ ବୋଲି ଘୋଷଣା କରାଯାଇଥିଲା I କିନ୍ତୁ ମଙ୍ଗୁକୁ ପୁଲିସ ଗୋଟିଏ ଟିମ ସହ ଗିରଫ କରପାରି ନଥିବା କିମ୍ବା ଆତ୍ମସମର୍ପଣ କରି ନଥିବାରୁ ରାୟଗଡା ଜିଲ୍ଲା ମାଓ ମୁକ୍ତ ହେବା ନେଇ ବିଧିବଧ ଘୋଷଣା ହୋଇନଥିଲା ।ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଶଙ୍କରଡ଼ା ପଞ୍ଚାୟତ ପଞ୍ଚାଳି ଗ୍ରାମର ଶ୍ୟାମ ମାଝୀଙ୍କ ପୁଅ ସର୍ବେଶ ମାଝି ଓରଫ ମଙ୍ଗୁ ଆତ୍ମସମର୍ପଣ କରିନଥିଲେ । ସୂଚନାରୁ ଜଣାପଡିଛି ସରକାରଙ୍କ ଦ୍ବାରା ବେଆଇନ ହୋଇଥିବା ନକ୍ସଲ ସଂଗଠନରେ ସର୍ବେଶ ଓରଫ ମଙ୍ଗୁ ଏସିଏମ କ୍ୟାଡରରେ କାର୍ଯ୍ୟ କରୁଛନ୍ତି । ସେ କଳାହାଣ୍ଡି ଜିଲ୍ଲାର କୁନୀ ମାଝିଙ୍କ ସହ ବିବାହ କରିଥିବା କୁହାଯାଉଥିଲା କିନ୍ତୁ କୁନି ଇତିମଧ୍ୟରେ ଆତ୍ମସମର୍ପଣ କରିସାରିଛନ୍ତି । ବର୍ତ୍ତମାନା ସର୍ବେଶ କେକେବିଏନ ୮ମ କମ୍ପାନୀର ସଦସ୍ୟ ରୂପେ କାର୍ଯ୍ୟ କରୁଥିଲେ ଓ ସେ ପୂର୍ବରୁ ଆତ୍ମସମର୍ପଣ କରିଥିବା ନିଖିଲଙ୍କ ସହ ବାଘୁନା ଡିଭିଜନ ସହ ମଧ୍ୟ କାର୍ଯ୍ୟ କରୁଥିଲେ । କିଛିବର୍ଷ ହେଲା ସର୍ବେଶ କେକେବିଏନ ଡିଭିଜନରେ କାର୍ଯ୍ୟ କରୁଛି । ମଙ୍ଗୁ ଏବେ କେକେବିଏନ ଡିଭିଜନରେ ଡିଭିଜନାଲ କମିଟି ମେମ୍ବର ଶୀଲା ଓରଫ ପୁନେମ ନାଗମଣୀଙ୍କ ସହଯୋଗରେ ୯/୧୦ଜଣିଆ ଟିମ କନ୍ଧମାଳ ରାୟଗଡା ଗଜପତି ସୀମାନ୍ତ ଅଞ୍ଚଳରେ ସକ୍ରୀୟ ରହୁଥିଲେ I ଏନେଇ ପୁଲିସର ଗୁଇନ୍ଦା ବିଭାଗ ଲଗାତାର ନଜର ରଖିଥିଲେ I ରାୟଗଡା ଜିଲ୍ଲାରେ କାର୍ଯ୍ୟ କରୁଥିବା ବଂଶଧାରା ଘୁମୁଷର ନାଗାବଳୀ ଡିଭିଜନର ସମସ୍ତ ସଦସ୍ୟ ନିଖିଲ ଏବଂ ଇନ୍ଦୁଙ୍କ ନେତୃତ୍ବରେ ଆତ୍ମସମର୍ପଣ କରି ସାରିଛନ୍ତି କିନ୍ତୁ ରାୟଗଡା, କନ୍ଧମାଳ ଓ ଗଜପତି ଜିଲ୍ଲା ସୀମାନ୍ତରେ ୯/୧୦ ଜଣିଆ ଶେଷ ଗୃପ ଆତ୍ମସମର୍ପଣ କରିନଥିବାରୁ ଓଡିଶା ମାଓମୁକ୍ତ ରାଜ୍ୟ ଘୋଷଣା ହେବାରେ ମଧ୍ୟ ବିଳମ୍ବିତ ହେଉଥିଲା । ଏହି ଟିମର ସମସ୍ତ ସଦସ୍ୟ ଛତିଶଗଡର ହୋଇଥିବା ବେଳେ କାଶିପୁରର ସର୍ବେଶ ଓରଫ ମଙ୍ଗୁ ଏକ ମାତ୍ର ଓଡିଆ କ୍ୟାଡର ମାଓବାଦୀ ଭାବେ ସକ୍ରୀୟ ରହିଥିଲେ । ତେବେ ମଙ୍ଗୁକୁ ରାୟଗଡାରେ ଧରି ପୁଲିସ କନ୍ଧମାଳ ନେଇଥିବା ସୂଚନା ମିଳିଛି I






