ଏ.କେ ବ୍ୟୁରୋ : ଦେବଦୂତ ସାଜି ଉଦ୍ଧାର କଲେ ମାଛ ଧରାଳି ସନାତନ ଜଗତପୁର କଟକ ମହାନଦୀ ସେତୁ ଉପରୁ ଆଜି ଜଣେ ବୃଦ୍ଧ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଜଣେ ସ୍ଥାନୀୟ ଯୁବକ ସାହସିକତା ସହ ତାଙ୍କୁ ଉଦ୍ଧାର କରିଛନ୍ତି। ପ୍ରାୟ ୩ କିଲୋମିଟର ଦୂରରେ ନଦୀ ସ୍ରୋତରେ ଭାସିଯାଉଥିବା ବୃଦ୍ଧଙ୍କୁ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ଉଦ୍ଧାର ବୃଦ୍ଧ ଜଣକ ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହଳଦୀବସନ୍ତ ଅଞ୍ଚଳର ପ୍ରତାପ ଚନ୍ଦ୍ର ସାରକା (୭୨) ବୋଲି ଜଣାପଡ଼ିଛି। ସେ ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ରହୁଥିବା ଜଣାଯାଇଛି। 
ସେ ଜଣେ ଅବସରପ୍ରାପ୍ତ ଅଧିକାରୀ, ପାରିବାରିକ ସମସ୍ୟାକୁ ନେଇ ସେ କିଛିଦିନ ଧରି ମାନସିକ ଚାପରେ ରହୁଥିବା ସୂଚନା ମିଳିଛି।ସୂଚନାନୁସାରେ, ଆଜି ସକାଳେ ବୃଦ୍ଧ ପ୍ରତାପ ତମାଣ୍ଡୋ ସ୍ଥିତ ଘରୁ ବଜାରକୁ ପରିବା ଓ କିଣାକିଣି କରିବା ପାଇଁ ଆସିଥିଲେ। କିନ୍ତୁ ସେ ପରିବା ନ କିଣି ଅଟୋ ଯୋଗେ ଜଗତପୁର ଆସିଥିଲେ। ପରେ ମହାନଦୀ ବ୍ରିଜ୍ ନିକଟକୁ ଯାଇ ହଠାତ୍ ନଦୀ ମଧ୍ୟକୁ ଡେଇଁ ପଡ଼ିଥିଲେ। ଖବର ପାଇ ଜଗତପୁର ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ଏହି ସମୟରେ ମହାନଦୀ ସୁନାରୀ ବଣ ନିକଟରେ ସ୍ଥାନୀୟ ଯୁବକ ସନାତନ ପାଳିଆ ଡଙ୍ଗା ସାହାଯ୍ୟରେ ନଦୀରେ ମାଛ ଧରୁଥିଲେ।
ସେ ଦୂରରୁ ବୃଦ୍ଧ ଜଣକ ନଦୀସ୍ରୋତରେ ଭାସିଯାଉଥିବା ଦେଖି ତୁରନ୍ତ ଡଙ୍ଗା ନେଇ ତାଙ୍କ ନିକଟରେ ପହଞ୍ଚିଥିଲେ। ନିଜ ଜୀବନକୁ ବିପଦରେ ପକାଇ ସାହସିକତା ସହ ବୃଦ୍ଧଙ୍କୁ ଡଙ୍ଗାକୁ ଉଠାଇ ଉଦ୍ଧାର କରିଥିଲେ।ଉଦ୍ଧାର ପରେ ଜଗତପୁର ପୁଲିସ ବୃଦ୍ଧଙ୍କ ପ୍ରାଥମିକ ଚିକିତ୍ସା କରାଇବା ସହ ପରିବାରଲୋକଙ୍କୁ ଖବର ଦେଇଥିଲା। ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଥିବା ସନାତନଙ୍କ ମାନବିକତା ଓ ସାହସିକତା ପାଇଁ ଜଗତପୁର ଥାନା ଆଇଆଇସି ପ୍ରଶାନ୍ତ କୁମାର ସାମଲଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି। ଏଥିସହ ତାଙ୍କୁ ନଗଦ ୭ ହଜାର ଟଙ୍କା ପୁରସ୍କାର ଦେଇ ଅନ୍ୟ ଯୁବ ପିଢ଼ିଙ୍କୁ ଏଭଳି ସାମାଜିକ କାର୍ଯ୍ୟରେ ପ୍ରେରିତ ହେବାକୁ ଆହ୍ୱାନ ଦେଇଛନ୍ତି।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକଙ୍କ ରିପୋର୍ଟ ଆପଣଙ୍କ ଖବର






