ରାୟଗଡା,୫/୮(ନରେନ୍ଦ୍ର ନିଶାଲ): ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ଉଚ୍ଚ ବିଦ୍ୟାଳୟରେ ବରିଷ୍ଠ ଛାତ୍ରଙ୍କ ଦ୍ୱାରା କନିଷ୍ଠ ଛାତ୍ରମାନଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ ଆଜି ବିଜୁ ଜନତା ଦଳ (ବିଜେଡି)ର ଏକ ପ୍ରତିନିଧି ଦଳ ବିଦ୍ୟାଳୟରେ ପହଞ୍ଚି ଘଟଣାର ସମୀକ୍ଷା କରିଛନ୍ତି।
ପ୍ରତିନିଧି ଦଳ ବିଦ୍ୟାଳୟ ପରିଦର୍ଶନ କରି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ଆହତ ଛାତ୍ରମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା, ଜିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ୱର ନାଇଡୁ, ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ପି. ଗୌରୀ ଶଙ୍କର, କୋଲନରା ବ୍ଲକ ବିଜେଡି ସଭାପତି ଲକ୍ଷ୍ମଣ ପେଦେଣ୍ଟି, ଜିଲ୍ଲା ଛାତ୍ର ବିଜେଡି ସଭାପତି ଉଦୟ ହିମିରିକା ଏବଂ ସ୍ଥାନୀୟ ସରପଞ୍ଚ ଗୋପୀନାଥ ମୁଷୁକା ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରତିନିଧି ଦଳ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଓ କର୍ମଚାରୀଙ୍କ ସହ ଆଲୋଚନା କରି ଘଟଣା କେଉଁ ପରିସ୍ଥିତିରେ ଘଟିଲା ଏବଂ ପରବର୍ତ୍ତୀ ସମୟରେ କେଉଁଭଳି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି କିଛି ଅଭିଭାବକଙ୍କ ସହ ମଧ୍ୟ ଆଲୋଚନା କରି ସେମାନଙ୍କ ମତାମତ ଓ ଦାବି ଶୁଣିଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀ ସାରକା କହିଥିଲେ ଯେ, ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ କୌଣସି ପ୍ରକାରରଆପୋଷ ବୁଝାମଣା ହେବା ଉଚିତ ନୁହେଁ।

ବରିଷ୍ଠ ଛାତ୍ରଙ୍କ ଦ୍ୱାରା କନିଷ୍ଠ ଛାତ୍ରଙ୍କ ଉପରେ ହିଂସାତ୍ମକ ଆଚରଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଭଳି ଘଟଣା ଭବିଷ୍ୟତରେ ନ ଘଟିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଧିକ ସତର୍କ ରହିବା ସହ ଛାତ୍ରଛାତ୍ରୀଙ୍କ ଉପରେ ନିୟମିତ ତଦାରଖ କରିବା ଆବଶ୍ୟକ ବୋଲି କହିଥିଲେ। ପ୍ରତିନିଧି ଦଳ ପ୍ରଶାସନକୁ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ କହିଥିଲେ।
ସେମାନେ ବିଦ୍ୟାଳୟରେ ରାଗିଂ ବିରୋଧୀ ସଚେତନତା କାର୍ଯ୍ୟକ୍ରମ, ନିଶା ମୁକ୍ତ ପରିବେଶ, ନିୟମିତ ପରାମର୍ଶ ଶିବିର ଏବଂ ଛାତ୍ରାବାସରେ କଡ଼ା ନଜରଦାରି ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଏପରି ଘଟଣାର ପୁନରାବୃତ୍ତି ରୋକି ସୁରକ୍ଷିତ ଓ ସୁସ୍ଥ ଶିକ୍ଷା ପରିବେଶ ସୃଷ୍ଟି କରିବା ଆବଶ୍ୟକ ବୋଲି କହିଥିଲେ।

ତେଣୁ ଜିଲ୍ଲା ପ୍ରଶାସନ ଓ ସରକାର ତୁରନ୍ତ ଅନ୍ତେବାସୀ ମାନଙ୍କ ସୁରକ୍ଷା ଓ ହଷ୍ଟେଲ ଗୁଡିକରେ କଡ଼ା ନିୟମ ଲାଗୁ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବିଜେଡି ପ୍ରତିନିଧି ଦଳ ଦାବି କରିଛନ୍ତି। ଏଥିରେ ବିଜେଡିର କ୍ରିଷ୍ଣାମା ଅଟକା, ବରିଷ୍ଠ ବିଜେଡି ନେତା ଭୀମ ହିମିରିକା, ଯୋଗେଶ ବାତ୍ରିଆ, ଚିନାବାବୁ ପେଦେଣ୍ଟି, ସତ୍ୟବ୍ରତ ପେଦେଣ୍ଟି, ବିନେସ ହିମିରିକା, ପ୍ରକାଶ ହିକକା, କାମେୟା ହୁଇକା, ଉଗାଦି ହିମିରିକା, କୁମାର କଣ୍ଡାଗରି ଓ ଦାମ କଲକା ସମେତ ଅନ୍ୟ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ।






