ଆଠଗଡ: ଚଳିତ ବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷା ସହିତ ବନ୍ୟା ବିତ୍ପାତ ରେ ଚାଷର ପ୍ରଭୁତ କ୍ଷତି ହୋଇଛି। ଏଥିରେ ଆଠଗଡ଼ ବ୍ଲକ ର ୧୬ ଟି ପଞ୍ଚାୟତ ର ୭୦ ଟି ଗାଁ ପ୍ରଭାବିତ ହୋଇଛି।
ବର୍ଷା ଏବଂ ବନ୍ୟା ପାଣି ରେ ୯୫୩ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଏଥି ମଧ୍ୟରେ ବିଭିନ୍ନ ପ୍ରକାରର ଚାଷ ଜମି ସହିତ ଉଦ୍ୟାନ କୃଷି ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡିଛି। ପ୍ରଭାବିତ ହୋଇଥିବା ପଞ୍ଚାୟତ ଗୁଡ଼ିକ ମଧ୍ୟ ରେ ରହିଛି ରାଜନଗର,ମେଘା, କଟକିଆ ସାହି, ବେଣ୍ଟପଦା,ଧାଈପୁର,ଦୋରଡ,ଘଣ୍ଟିଖାଲ,ଇଚ୍ଛାପୁର,ଜେନାପଦା,ଖୁଣ୍ଟକଟା,କୁଲାଇଲୋ,ମହାକାଳବସ୍ତ, ସମସରପୁର,ସଠିଲୋ ଏବଂ ତରଡିଙ୍ଗ ପଞ୍ଚାୟତ।
ଏହି ପଞ୍ଚାୟତ ଗୁଡ଼ିକ ମଧ୍ୟରେ ଅଧିକାଂଶ ପଞ୍ଚାୟତ ସାପୁଆ କଣ୍ଟିଆ ନଦୀ କୂଳରେ ଅବସ୍ଥିତ ଥିବା ବେଳେ ଏହି ସବୁ ଅଞ୍ଚଳରେ ଚାଷ ୩୩ ପ୍ରତିଶତ ରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଏହି ସବୁ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ପାଖାପାଖି ୧୩ କୋଟି ଟଙ୍କାର କ୍ଷତି ପୂରଣ ଦେବା ପାଇଁ ପ୍ରଶାସନ ପକ୍ଷରୁ ସୁପାରିଶ କରା ଯାଇଥିବା ଜଣାପଡିଛି।
ଆଠଗଡ ତହସିଲ କୃଷି ଏବଂ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମିଳିତ ତଦନ୍ତ ହୋଇ ଏହି ରିପୋର୍ଟ ପ୍ରସ୍ତୁତ କରା ଯାଇଥିବା ଜଣାପଡିଛି। କ୍ଷତିଗ୍ରସ୍ତ ହୋଇଥିବା ଜମି ଗୁଡିକ ମଧ୍ୟରେ ଅଣ ଜଳସେଚିତ ଜମି ରହିଛି ୯୦୦ ହେକ୍ଟରରୁ ଅଧିକ ଏବଂ ଜଳସେଚିତ ଜମି ୨୨୦ ହେକ୍ଟର ରୁ ଅଧିକ ବୋଲି ଆଠଗଡ଼ ବ୍ଲକ କୃଷି ଅଧିକାରୀ ପ୍ରିୟନାଥ ପାତ୍ର ସୂଚନା ଦେଇଛନ୍ତି।
ସରକାରଙ୍କୁ ଦିଆ ଯାଇଥିବା ରିପୋର୍ଟ ଆଧାରରେ ଅନୁଦାନ ରାଶି ଆସିଲେ ସେ ସବୁକୁ କ୍ଷତିପୂରଣ ଆକାରରେ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଦିଆ ଯିବ ବୋଲି କୁହାଯାଇଛି।






