ଏ.କେ ବ୍ୟୁରୋ : ବିବାହ ଉତ୍ସବ ଚାଲିଥିବା ବେଳେ ମରଣାନ୍ତକ ଆକ୍ରମଣ । କଟକ ୩ ନଂ ୱାର୍ଡର ବିଦ୍ୟାଧରପୁର ଗ୍ରାମରେ ଘଟିଛି ଏଭଳି ଘଟଣା । ଏକ ଗୁରୁତର ଯୁବକଙ୍କ ମାଙ୍କ ଅଭିଯୋଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାପ ପୁଅ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହାପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ପୋଲିସ ସୂଚନା ଅନୁସାରେ ବୁଧବାର ବିଦ୍ୟାଧରପୁର ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା । 
ଉକ୍ତ ଗ୍ରାମର ମହିମା ରାଉତ ଓରଫ ଜୟ ଏହି ଗଣ୍ଡଗୋଳକୁ ଅଟକାଇବାକୁ ଯାଇଥିଲେ। କିଛି ସମୟ ପରେ ବିବାହ ଉତ୍ସବରୁ ଜୟ ଫେରୁଥିଲେ । ଏହି ସମୟରେ ରାସ୍ତାରେ ଉକ୍ତ ଗ୍ରାମର ବିଜୟ ବେହେରା, ଜଗୁ ଓରଫ ଜଗନ ବେହେରା ଏବଂ ବିଶ୍ୱଜିତ ବେହେରା ଓରଫ ବଣ୍ଟି ତାଙ୍କୁ ଅଟକାଇ ଥିଲେ ।ସେଠାରେ ଏକ ବାଉଁଶ ଠେଙ୍ଗାରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଅଭିଯୁକ୍ତ ୩ ଜଣ ବାପ-ପୁଅ ବୋଲି ଜଣାପଡିଛି ।

ଆକ୍ରମଣ ଫଳରେ ଜୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଫଳରେ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏ ସଂକ୍ରାନ୍ତରେ ଜୟଙ୍କ ମାଁ ଜିତା ରାଉତ ଗୋଡିସାହି ଫାଣ୍ଡିରେ ଅଭିଯୋଗ କରିଥିଲେ । ପରେ ପୋଲିସ ସଙ୍ଗେ ସଙ୍ଗେ ତଦନ୍ତ କରି ୩ ଜଣ ବାପ-ପୁଅଙ୍କୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ ବାଉଁଶ ଠେଙ୍ଗା ତାଙ୍କ ଠାରୁ ଜବତ କରି ସମସ୍ତଙ୍କୁ ଅଦାଲତ ଚାଲାଣ କରିଛି । ଏହି ଘଟଣାରେ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।






