ଏ.କେ ବ୍ୟୁରୋ : ବୀମା ନଥିଲେ ମିଳିବନି ତେଲ । ବୀମା ନଥିବା ଗାଡିଗୁଡିକୁ ତେଲ ବିକ୍ରି ବନ୍ଦ କରିବା ପାଇଁ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଦେଶରେ ଚାଲୁଥିବା ବୀମା ବା ଇନସ୍ୟୁରାନ୍ସ ନଥିବା ଗାଡି ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ବୈଧ ଇନସ୍ୟୁରାନ୍ସ ନଥିଲେ ପେଟ୍ରୋଲ ପମ୍ପରେ ଗାଡ଼ିକୁ ତେଲ ମିଳିବ ନାହିଁ।
ଏଥିପାଇଁ ଏକ ଅତ୍ୟାଧୁନିକ ପ୍ରଯୁକ୍ତି ଭିତ୍ତିକ ‘ପାଇଲଟ୍ ପ୍ରୋଜେକ୍ଟ’ ଆରମ୍ଭ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ବୀମା ନିୟାମକ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଦେଶରେ ଚାଲୁଥିବା ପ୍ରାୟ ୫୬ ପ୍ରତିଶତ ଗାଡ଼ିର ଭ୍ୟାଲିଡ ଇନସ୍ୟୁରାନ୍ସ ନଥିବାରୁ ଖଣ୍ଡପୀଠ ଚିନ୍ତା ବ୍ୟକ୍ତ କରିଛନ୍ତି।
ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ପେଟ୍ରୋଲ ପମ୍ପରେ ତେଲ ପକାଇବା ବେଳେ ଗାଡ଼ିର ବୀମା ସ୍ଥିତି ତୁରନ୍ତ ଯାଞ୍ଚ କରାଯିବ। ବୀମା ଅବଧି ଶେଷ ହୋଇଥିଲେ ଗାଡ଼ିକୁ ତେଲ ମିଳିବ ନାହିଁ। ସେହିପରି ନୂଆ ଗାଡ଼ି କିଣିବା ବେଳେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ଅବଧି ବୃଦ୍ଧି କରାଯାଇଛି।
ନୂଆ କାର୍ ପାଇଁ ବୀମା ଅବଧି ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯାଇଥିବା ବେଳେ ନୂଆ ଦୁଇଚକିଆ ଗାଡ଼ି ପାଇଁ ବୀମା ଅବଧି ୫ ବର୍ଷରୁ ୬ ବର୍ଷକୁ ବୃଦ୍ଧି କରାଯାଇଛି। ସେହିପରି ଜାତୀୟ ରାଜପଥରେ ଥିବା ଅଟୋମେଟିକ୍ ନମ୍ବର ପ୍ଲେଟ୍ ଚିହ୍ନଟ କ୍ୟାମେରାକୁ ସରକାରଙ୍କ (VAHAN) ଡାଟାବେସ୍ ସହ ସଂଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଯାହାଦ୍ୱାରା ବୀମା ନଥିବା ଗାଡ଼ିଗୁଡିକୁ ତୁରନ୍ତ ଚିହ୍ନଟ କରାଯାଇପାରିବ।






