କଣିହାଁ (ଅନୁଗୋଳ): ଅନୁଗୋଳ ଜିଲ୍ଲା କଣିହାଁ ଅଞ୍ଚଳର ସମଲ ନିକଟ ବ୍ରାହ୍ମଣୀ ନଦୀରେ ଜଣେ ଛାତ୍ର ବୁଡ଼ି ନିଖୋଜ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ସମଲ ଥାନା ଅନ୍ତର୍ଗତ ବିଲିଣ୍ଡା ଗ୍ରାମର ଯୁଧିଷ୍ଠିର ପ୍ରଧାନଙ୍କ ପୁଅ ଶୁଭ୍ରାଂଶୁ ପ୍ରଧାନ ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ କିଛି ସାଙ୍ଗମାନଙ୍କ ସହ ବିମଳାଗଡ଼–ସମଲ ରେଳୱେ ବ୍ରିଜ୍ ଉପରକୁ ବୁଲିବାକୁ ଯାଇଥିଲେ।

ସେଠାରେ ବୁଲୁଥିବା ବେଳେ ଅସାବଧାନତାବଶତଃ ଶୁଭ୍ରାଂଶୁ ରେଳୱେ ବ୍ରିଜ୍ରୁ ତଳେ ଥିବା ବ୍ରାହ୍ମଣୀ ନଦୀକୁ ଖସି ପଡ଼ିଥିଲେ। ନଦୀର ପ୍ରଖର ସ୍ରୋତ ଯୋଗୁଁ ସେ ଭାସିଯାଇ ବୁଡ଼ି ନିଖୋଜ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଖବର ପାଇ ସମଲ ପୋଲିସ ଓ କଣିହାଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଛାତ୍ରଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଖବର ଲେଖାଯିବା ସୁଦ୍ଧା ଛାତ୍ରଙ୍କର କୌଣସି ସନ୍ଧାନ ମିଳିନଥିବା ସୂଚନା ମିଳିଛି।






