ଏ.କେ ବ୍ୟୁରୋ : ଖୋର୍ଦ୍ଧା, ୧୧.୦୭.୨୦୨୬: ଜମି ବିବାଦ ସମ୍ପର୍କିତ ମାମଲା ବନ୍ଦ କରିବା ପାଇଁ ଲାଞ୍ଚ ଦାବି ଓ ଗ୍ରହଣ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନାର ତଦନ୍ତକାରୀ ଏଏସଆଇ ଅକ୍ଷୟ କୁମାର ସେଠୀଙ୍କୁ ଗିରଫ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି। ଗତକାଲି ବିଳମ୍ବିତ ରାତିରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍କୁ ଦେଖି ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।
ସୂଚନା ଅନୁସାରେ, ଗତ ୦୫.୦୭.୨୦୨୬ ତାରିଖରେ ଜମି ବିବାଦକୁ ନେଇ ଦୁଇ ପକ୍ଷ ମଧ୍ୟରେ ନାଚୁଣୀ ଥାନାରେ ପୃଥକ ପୃଥକ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲା ଦୁଇଟିର ତଦନ୍ତକାରୀ ଅଧିକାରୀ ଥିଲେ ଏଏସଆଇ ଶ୍ରୀ ସେଠୀ। ପରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା। ମାମଲା ବନ୍ଦ କରିବା ପାଇଁ ଶ୍ରୀ ସେଠୀ ଉଭୟ ପକ୍ଷଙ୍କଠୁ ୧୦,୦୦୦/- ଟଙ୍କା ଅର୍ଥାତ ପ୍ରତ୍ୟେକଙ୍କଠୁ ୫,୦୦୦/- ଟଙ୍କା ଲାଞ୍ଚ ଦାବି କରିଥିଲେ।
ଅଭିଯୋଗକାରୀ ଜଣକ ଓଡ଼ିଶା ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରିବା ପରେ ଯୋଜନା ଅନୁସାରେ ୧୦.୦୭.୨୦୨୬ ତାରିଖ ରାତିରେ ୫,000/- ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବାକୁ ଉଦ୍ୟମ କରିଥିଲା। ତେବେ ଭିଜିଲାନ୍ସ ଟିମ୍କୁ ଦେଖି ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କଠୁ ମିଳିଥିବା ୫,୦୦୦/- ଟଙ୍କା ସହ ତାଙ୍କ ମୋଟରସାଇକେଲରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।
ଏହି ଘଟଣା ପରେ ନାଚୁଣୀ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଅଭିଯୁକ୍ତ ଏଏସଆଇଙ୍କ ସରକାରୀ ଆବାସ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକାଳୀନ ଚଢାଉ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଖୋଜାଖୋଜି ଜାରି ରହିଛି। ଏ ନେଇ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।






