ଏ.କେ ବ୍ୟୁରୋ : ପୁଣି ମଶାଣିରୁ ଶବ ଚୋରି ଅଭିଯୋଗ । ବହୁ ପୂର୍ବରୁ ସମାନ ସ୍ଥାନରୁ ଶବ ଚୋରି ଅଭିଯୋଗ କରିଥିଲେ ଗ୍ରାମବାସି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ମଣିନାଥପୁର ଗାଁ ରୁ ଏମିତି ଅଭିଯୋଗ ଆସିଛି । ଏଥର ସମାନ ଭାବେ ପୁଣି ୩ ଗୋଟି ଶବ ଚୋରି ହୋଇଥିବା କୁହାଯାଉଛି ।

ସ୍ଥାନୀୟ ଲୋକ ଙ୍କ ଅଭିଯୋଗ ଅନୁଯାୟୀ ବୈତରଣୀ ନଦୀ ରେ ଆସିଥିବା ବନ୍ୟା ପରେ ପରେ ନଦୀ କୁଳରେ ଥିବା ମଶାଣିରୁ ୩ ଗୋଟି ଶବ ଚୋରି ହୋଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ତେବେ ଘଟଣାକୁ ନେଇ ଭଣ୍ଡାରୀପୋଖରୀ ଥାନାରେ ମୌଖିକ ଭାବେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି ସ୍ଥାନରୁ ପୂର୍ବରୁ ଶବ ଗାୟବ ନେଇ ଅଭିଯୋଗର ତଦନ୍ତ କରିଥିଲା ପୋଲିସ । କିନ୍ତୁ କୌଣସି ସୁଫଳ ମିଳି ନଥିଲା । ଏବେ ପୁଣି ଅଭିଯୋଗ ପରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ପୋଲିସ ।






