ଏ.କେ ବ୍ୟୁରୋ : ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି । ଆଜ୍ଞାମାଳ ବିଜେ ପରେ ତିନି ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ଚାଲିଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି, ତାଳଧ୍ୱଜ ରଥଙ୍କ ଦକ୍ଷିଣ ମୋଡ଼ ବର୍ତ୍ତମାନ ସ୍ଥାନରେ ସ୍ଥଗିତ ରଖାଯାଉଛି । ଆସନ୍ତାକାଲି ନନ୍ଦିଘୋଷ ରଥ ସହିତ ଶରଧାବାଲି ଅଭିମୁଖେ ଏହାକୁ ଟଣାଯିବ । ସୁରକ୍ଷା ବାହିନୀ ପକ୍ଷରୁ ସମସ୍ତ ରଥର ବର୍ତ୍ତମାନ ସ୍ଥାନରେ ଆବଶ୍ୟକ ବ୍ୟାରିକେଡିଂ ଓ ସୁରକ୍ଷା ବ୍ୟବସ୍ଥା କରାଯିବ। ସେହିପରି ବଡଦାଣ୍ଡରେ ଯାତାୟାତ ସ୍ୱାଭାବିକ ରହିବା ପାଇଁ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ।
ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ଦେଇ ଆଡପ ମଣ୍ଡପ ବିଜେ କରିଥିବାବେଳେ ନାକଚଣା ଦ୍ୱାର ଦେଇ ବାହୁଡା଼ ଯାତ୍ରାରେ ବାହାରିଥାନ୍ତି l ସକାଳଧୂପ ପରେ ରଥକୁ ଆଜ୍ଞାମାଳ ବିଜେ କରାଯିବ ଓ ଏହାପରେ ୩ ରଥକୁ ନାକଚଣା ଦ୍ୱାର ନିକଟକୁ ଟଣାଯିବ l ପ୍ରଥମେ ଦେବଦଳନ ରଥ ଓ ପରେ ପରେ ନନ୍ଦିଘୋଷ ଓ ଶେଷରେ ତଳଧ୍ଵଜ ରଥ ଟଣାଯିବ l
ଗତକାଲି ଅନୁଷ୍ଠିତ ହୋଇଯାଇଛି ହେରାପଞ୍ଚମୀ ନିତି । ବିଧିପରମ୍ପରା ପୂର୍ବକ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ । ସଂଧ୍ୟା ଆଳତୀ ପରେ ବିମାନ ଓ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ ।






