ଏ.କେ ବ୍ୟୁରୋ : ମହିଳା କନଷ୍ଟେବଳଙ୍କ ସ୍ୱାମୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ । ୯ ଅଭିଯୁକ୍ତ ଗିରଫ, ୩ ନାବାଳକ ସାମିଲ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ମହିଳା କନଷ୍ଟେବଳଙ୍କ ସ୍ୱାମୀ ତ୍ରିଲୋଚନ ମହାନ୍ତଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କେନ୍ଦୁଝର ପୋଲିସ । ଏହି ଘଟଣାରେ ୯ ଜଣ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଧରାପଡ଼ିଥିବା ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ସୂଚନା ଦେଇଛନ୍ତି ଏସପି ନିତୀନ କୁଶଲକର 
ଆଜି ଘଟଣାସ୍ଥଳରେ ୬ ଜଣ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ୍ କରାଯାଇଛି । ଗତ ୨୮ ତାରିଖ ରାତିରେ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଘଟିଥିଲା ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ମୃତ ତ୍ରିଲୋଚନ ମହାନ୍ତଙ୍କ ପତ୍ନୀ ପାଟଣା ଥାନାରେ ମହିଳା କନଷ୍ଟେବଳ ଭାବେ କାର୍ଯ୍ୟରତ। ତ୍ରିଲୋଚନ କେନ୍ଦେଇପଶିଠାରେ ଏକ ଜନସେବା କେନ୍ଦ୍ର ଚଳାଉଥିଲେ । ପ୍ରତିଦିନ ରାତିରେ ଦୋକାନ ବନ୍ଦ କରି ଟଙ୍କାପଇସା ଧରି ପାଟଣାସ୍ଥିତ ନିଜ ବାସଭବନକୁ ଫେରୁଥିଲେ । ଘଟଣା ଦିନ ମଧ୍ୟ ସେ ଟଙ୍କା ଧରି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ଶିକାର ହୋଇଥିଲେ ।
ପ୍ରଥମେ ଭୁଜାଲିରେ ଆକ୍ରମଣ କରିବା ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଲୁଟ୍ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପ୍ରାଥମିକ ସନ୍ଦେହ ପ୍ରକାଶ ପାଇଥିଲା । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏସପି ନିତୀନ କୁଶଲକର ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅପରାଧୀଙ୍କୁ ଧରିବା ପାଇଁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ପୋଲିସର ତଦନ୍ତ ପରେ ଏହି ଘଟଣାରେ ମୋଟ ୯ ଜଣଙ୍କୁ ଗିରଫଯାଇଛି । ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତ ତ୍ରିଲୋଚନଙ୍କ ପରିବାର ।






