ଏ.କେ ବ୍ୟୁରୋ : କେନ୍ଦୁଝର ସଦର ବ୍ଲକ୍ ହାଣ୍ଡିଭଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଇଁଶି ଗ୍ରାମର ରିଙ୍କି ଲହାରଙ୍କ ଆତ୍ମନିର୍ଭରଶୀଳ ହେବାର ସ୍ୱପ୍ନକୁ ମିଳିଛି ନୂଆ ଦିଗ । ୧୮ ସେପ୍ଟେମ୍ବର ୨୦୧୬ ଶୁକ୍ରବାର ଦିନ ଗ୍ରାମ କମିଟି ସଦସ୍ୟ ଓ ଗ୍ରାମ ବିକାଶ କର୍ମଚାରୀମାନଙ୍କ ଉପସ୍ଥିତିରେ ତାଙ୍କ ଫାଷ୍ଟ୍ ଫୁଡ୍ ଦୋକାନ ଆରମ୍ଭ ହୋଇଛି । ଏହି ଦୋକାନ ତାଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ସହ ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। କେନ୍ଦୁଝର ଜିଲ୍ଲାର ଦୁଇଟି ବ୍ଲକ୍ର ୪ଟି ପଞ୍ଚାୟତ ଅଧୀନ ୨୦ଟି ଗ୍ରାମରେ ସାମଗ୍ରିକ ଗ୍ରାମୀଣ ବିକାଶ ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକାରୀ ହେଉଛି । ଏଚ୍ଡିଏଫ୍ସି ବ୍ୟାଙ୍କ୍ର ଆର୍ଥିକ ସହାୟତା ଏବଂ ଗ୍ରାମ ବିକାଶ, କେନ୍ଦୁଝରଙ୍କ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଏହି ପ୍ରକଳ୍ପ ଆଗେଇ ଚାଲିଛି।
ଏହି ପ୍ରକଳ୍ପ ଅଧୀନରେ କଇଁଶି ଗ୍ରାମର ରିଙ୍କି ଲହାରଙ୍କୁ ଏକ ଉଦ୍ୟୋଗ ଆରମ୍ଭ କରିବା ପାଇଁ ଫାଷ୍ଟ୍ ଫୁଡ୍ ଦୋକାନ ନିମନ୍ତେ ଠେଲାଗାଡ଼ି ସହାୟତା ଯୋଗାଇ ଦିଆଯାଇଛି । ଏହାପରେ ଋଙ୍କି ନିଜ ତରଫରୁ କିଛି ଅର୍ଥ ବିନିଯୋଗ କରି ବ୍ୟବସାୟ ଆରମ୍ଭ କରିଛନ୍ତି ।
ରିଙ୍କିଙ୍କ ପରିବାରରେ ରିଙ୍କିଙ୍କ ସହିତ ତାଙ୍କ ସ୍ୱାମୀ,ଦୁଇ ଜଣ ପୁଅ ଓ ତାଙ୍କ ଶାଶୁ, ଶଶୁର ଙ୍କୁ ମିଶାଇ ୬ଜଣ ସଦସ୍ୟ ଅଛନ୍ତି। ତାଙ୍କ ସ୍ୱାମୀ ପରମେଶ୍ଵର ଲହାର ଏକ ଘରୋଇ ସଂସ୍ଥାରେ ସ୍ୱଳ୍ପ ବେତନରେ ଡ଼୍ରାଇଭର ଭାବେ କାର୍ଯ୍ୟ କରନ୍ତି । ଯେଉଁ ୧ ଏକର ଚାଷ ଜମି ରହିଛି ସେଥିରେ କେବଳ ବର୍ଷକୁ ଥରେ ଧାନ ଚାଷ କରାଯାଏ । ଯେଉଁ ଧାନ କେବଳ ବର୍ଷକର ଖାଦ୍ୟ ପାଇଁ ହିଁ ପ୍ରଯୁଜ୍ୟ ।
ସ୍ୱାମୀଙ୍କ ସ୍ୱଳ୍ପ ରୋଜଗାରରେ ପରିବାର ପ୍ରତିପୋଷଣ କରିବା ଓ ଦୁଇ ପୁଅଙ୍କ ପାଠପଢ଼ା ଖର୍ଚ୍ଚ ରିଙ୍କିଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ଏସବୁକୁ ମନରେ ଭାବି ରିଙ୍କି ନିଜେ କିଛି ରୋଜଗାର କରିବା ପାଇଁ ମନରେ ସ୍ଥିର କଲେ । ନିଜ ବାପାଙ୍କ ସହଯୋଗ ଓ ଘରର କିଛି ଅର୍ଥ ଏକଜୁଟ କରି ସେ ଫାଷ୍ଟ୍ ଫୁଡ୍ ଦୋକାନ ଆରମ୍ଭ କଲେ । ପ୍ରଥମେ ସେ ଏକ ବାଉଁଶ ଓ ପାଲରେ ତିଆରି ଚାଳିଆ ଘରେ ଫାଷ୍ଟ ଫୁଡ୍ ବ୍ୟବସାୟ ଆରମ୍ଭ କଲେ । ଲୋକଙ୍କର ଚାହିଦା ମଧ୍ୟ ଦିନକୁ ଦିନ ବଢିବା ସହିତ ରିଙ୍କିଙ୍କ ରୋଜଗାର ମଧ୍ୟ ଆଶାନୁରୂପକ ହେଉଥିଲା । ହେଲେ ଚାଳିଆ ଘରର ସ୍ଥାୟୀତ୍ବ ନେଇ ସେ ଚିନ୍ତାରେ ଥିଲେ । ପ୍ରକଳ୍ପ ମାଧ୍ୟମରେ ଏବେ ତାଙ୍କୁ ଏକ ଠେଲା ଗାଡି ଯୋଗାଇ ଦିଆଯାଇଛି । ଯାହା ତାଙ୍କୁ ଏକ ନିର୍ଭୟ ଓ ନିରାପଦ ବ୍ୟବସାୟ କରିବାର ସୁଯୋଗ ଦେଇଛି ।
ଏନେଇ ରିଙ୍କି ଲହାର କୁହନ୍ତି- ଏକ ଚାଳିଆରେ ମୁଁ ଚାଟ୍, ଚାଓମିନ, ଚିଲି ଚିକେନ୍, ରୋଲ୍ ଆଦି କରୁଥିଲି । ଗୋଟିଏ ଦିନକୁ ୩୦୦ ରୁ ୪୦୦ ଟଙ୍କା ହିସାବରେ ତାଙ୍କର ରୋଜଗାର ହେଉଥିଲା । ଗାଁ ପାଖରେ ହାଟ ପଡୁଛି, ସେଠାକୁ ଯାଇ ବ୍ୟବସାୟ କଲେ ଭଲ କିଛି ରୋଜଗାର ହୋଇ ପାରିଥାନ୍ତା । ହେଲେ ମୋ ପାଖରେ ସେତିକି ସାଧନ ନଥିବାରୁ ମୁଁ ସେଠାକୁ ଯାଆଆସ କରିବା ସମ୍ଭବପର ହୋଇପାରୁନଥିଲା । ବର୍ଷା, ପବନ ହେଲେ ଚାଳିଆକୁ ନେଇ ମନରେ ଭୟ ରହୁଥିଲା । ଏବେ ବ୍ୟବସାୟ ପାଇଁ ଠେଲାଗାଡି ମିଳିବା ପରେ ମୁଁ ଘରପାଖ ସହିତ ହାଟକୁ ଯାଇ ମଧ୍ୟ ବ୍ୟବସାୟ କରି ପାରିବି ଓ ୧ ହଜାରରୁ ଉର୍ଦ୍ଧ୍ଵ ଟଙ୍କାର ରୋଜଗାର ମଧ୍ୟ ହୋଇ ପାରିବ । ଏହାଦ୍ଵାରା ମୋ ପିଲାମାନଙ୍କ ପାଠପଢ଼ା ଓ ଘର ଚଳାଇବା ସୁଗମ ହେବା ସହିତ କିଛି ଅର୍ଥ ସଞ୍ଚୟ ମଧ୍ୟ କରିପାରିବି । ଯାହା ମୋତେ ଏକ ନିରାପଦ ଓ ସ୍ଥାୟୀ ରୋଜଗାରର ନୁଆ ଆଶା ଦେଖାଇବା ସହିତ ମୋପାଇଁ ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଯାପନରେ ବେଶ୍ ସହାୟକ ହେବ ।
ବିବରଣୀ ପ୍ରସ୍ତୁତକାରୀ : ଅଜିତ କୁମାର ଆରୁକ






