ଏ.କେ ବ୍ୟୁରୋ : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପରିଚାଳିତ ରିଭଲକୋଣା ଆବାସିକ ବିଦ୍ୟାଳୟରେ ଘଟିଥିବା ଛାତ୍ର ନିର୍ଯାତନା ଘଟଣାକୁ ନେଇ ପ୍ରଶାସନ ଓ ମଙ୍ଗଳ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜୋରଦାର କରାଯାଇଛି। ଘଟଣାର ତଦନ୍ତ ଚାନ୍ଦିଲି ପୁଲିସ ଆରମ୍ଭ କରିଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ୭ ଜଣ ଛାତ୍ରଙ୍କୁ ଟ୍ରାନ୍ସଫର ସାର୍ଟିଫିକେଟ୍ (ଟିସି) ପ୍ରଦାନ କରି ବିଦ୍ୟାଳୟରୁ ବିଦା କରିଛନ୍ତି। ଏହାସହ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଘଟଣା ପରେ ଅଭିଭାବକମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଓ ଆତଙ୍କ ସୃଷ୍ଟି ହୋଇଛି।

ଭୟଭୀତ ହୋଇ ମାଡ଼ ଖାଇଥିବା ଛାତ୍ରଛାତ୍ରୀଙ୍କ ସହ ଅନ୍ୟ ଅନ୍ତେବାସୀମାନେ ମଧ୍ୟ ହଷ୍ଟେଲ ଛାଡ଼ିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଶ୍ରେଣୀର ପ୍ରାୟ ୨୬ ଜଣ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ି ଘରକୁ ଫେରିଥିବା ସୂଚନା ମିଳିଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାମାନଙ୍କୁ ପୁନର୍ବାର ହଷ୍ଟେଲକୁ ପଠାଇବା ପାଇଁ ଅଭିଭାବକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ସେମାନେ ରାଜି ହେଉନଥିବା ଜଣାପଡ଼ିଛି। ଏହି ପରିସ୍ଥିତିରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ ବିଦ୍ୟାଳୟ ପରିଦର୍ଶନ କରି ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ। ତଥାପି ଅଭିଭାବକମାନେ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି।

ରାତି ପ୍ରାୟ ୧୨ଟା ସମୟରେ ହଷ୍ଟେଲ ଭିତରେ ଜଣେ ସିନିୟର ଛାତ୍ର ୨୭ ଜଣ କନିଷ୍ଠ ଛାତ୍ରଙ୍କୁ ବର୍ବର ଭାବେ ମାଡ଼ ମାରିଥିବା ସମୟରେ ହଷ୍ଟେଲରେ ଉପସ୍ଥିତ ଅନ୍ୟ କର୍ମଚାରୀ କିମ୍ବା ଦାୟିତ୍ୱରେ ଥିବା କର୍ମଚାରୀ କାହିଁକି ଏହାକୁ ଅଟକାଇଲେ ନାହିଁ ବୋଲି ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ଘଟଣାକୁ ନେଇ ଅଭିଭାବକମାନେ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯିବା ସହ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ସମ୍ପୂର୍ଣ୍ଣ କର୍ମଚାରୀ ପରିବର୍ତ୍ତନ ଏବଂ ଉପଯୁକ୍ତ ପଦକ୍ଷେପ ନିଆଯିବା ପରେ ହିଁ ସେମାନେ ପିଲାମାନଙ୍କୁ ପୁଣି ବିଦ୍ୟାଳୟକୁ ପଠାଇବେ। ଏହି ଘଟଣା ରିଭଲକୋଣା ଆବାସିକ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା, ହଷ୍ଟେଲ ପରିଚାଳନା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ପୁଲିସର ତଦନ୍ତ ଏବଂ ମଙ୍ଗଳ ବିଭାଗର ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।






