ଏ.କେ ବ୍ୟୁରୋ: ମହିଳାଙ୍କୁ ଟାଣିନେଲା କୁମ୍ଭୀର । ନିଖୋଜ ମହିଳା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଦାମୋଦର ପାଟଣାର ଶୁଚିସ୍ମିତା ଦାସ । ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି । ଦୀର୍ଘ ସମୟ ଧରି ମହିଳା ନିଖୋଜ ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ନଦୀ କୂଳରେ ଚପଲ, ବାଲ୍ଟି ଓ ବ୍ରସ ଥୁଆ ହୋଇଛି l ମାତ୍ର ଦୀର୍ଘ ସମୟ ଧରି ଶୁଚିସ୍ମିତାଙ୍କର କୌଣସି ପତ୍ତା ମିଳୁନାହିଁ । ଦମକଳ ବାହିନୀ ନଦୀରେ ଖୋଜାଖୋଜି ଜାରି ରଖିଛି ।
ସୂଚନା ଅନୁଯାୟୀ, ଆଜି ସକାଳେ ମହିଳା ଜଣକ ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । ପରିବାର ଓ ସ୍ଥାନୀୟ ଲୋକେ ନଦୀ କୂଳକୁ ଖୋଜିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ଚପଲ ଏବଂ ବ୍ରଶ୍ ପଡ଼ିରହିଥିବା ଦେଖିବାକୁ ମିଳିଛି, ଯାହା ଆହୁରି ସନ୍ଦେହ ସୃଷ୍ଟି କରୁଛି ।
ନଦୀକୂଳରେ ମହିଳାଙ୍କ ବ୍ୟବହୃତ ସାମଗ୍ରୀ ପଡ଼ିରହିବା ଏବଂ ସେ ନିଖୋଜ ହୋଇଯିବା ଘଟଣାରୁ ସନ୍ଦେହ କରାଯାଉଛି ଯେ, କୁମ୍ଭୀର ପାଣି ଭିତରୁ ଆସି ତାଙ୍କୁ ଟାଣି ନେଇଛି। ଏହି ଖବର ପ୍ରଚାରିତ ହେବା ହେବା ପରେ ସ୍ଥାନୀୟ ଅଞ୍ଚଳରେ ହଜାର ହଜାର ଲୋକ ନଦୀକୂଳରେ ଏକାଠି ହୋଇଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ଏବଂ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ ଦମକଳ ବାହିନୀ ଓ ମତ୍ସ୍ୟଜୀବୀଙ୍କ ସହାୟତାରେ ନଦୀରେ ଜାଲ ପକାଇ ଏବଂ ବୋଟ୍ ଯୋଗେ ନିଖୋଜ ମହିଳାଙ୍କର ସର୍ଚ୍ଚ ଅଭିଯାନ ଜାରି ରହିଛି ।






