ଏ.କେ ବ୍ୟୁରୋ : ରାୟଗଡା ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ପ୍ରଥମେ ଦଳୀୟ ହ୍ୱିପ ନମାନି ରାୟଗଡ଼ା ପୌରସଂସ୍ଥାର ପୂର୍ବତନ ଉପାଧକ୍ଷା ଶୁଭ୍ରା ପଣ୍ଡାଙ୍କୁ ଗାଡିଚ୍ୟୁତ କରିଲେ ବିଜେଡି କାଉନସିଲର। ୧୯ ଜଣ କାଉନସିଲର ଦଳ ବିରୋଧୀ କାର୍ଯ୍ୟ କରିଥିଲେ ମଧ୍ୟ ହୋଇ ନଥିଲା କାର୍ଯାନୁଷ୍ଠାନ। କୋର୍ଟ ନିର୍ଦେଶ ପରେ ଆଜି ଉପାଧ୍ୟାକ୍ଷା ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ୧୬ ନମ୍ବର ୱାର୍ଡ କାଉନସିଲର ଶ୍ରମିତା ପାଢ଼ୀ। ତାଙ୍କ ବିରୋଧରେ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବାରୁ ନୂତନ ଉପାଧ୍ୟକ୍ଷା ଭାବରେ ଶ୍ରମିତା ପାଢ଼ୀ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ପ୍ରିୟଦର୍ଶନି ସ୍ୱାଇଁ ଘୋଷଣା କରିଛନ୍ତି। ଆଜି ଅନୁଷ୍ଠିତ ନିର୍ବାଚନରେ ଶ୍ରମିତା ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ।
ତାଙ୍କର ପ୍ରସ୍ତାବକ ରହିଥିଲେ ପାଲକୋଣ୍ଡା ମମିତା ୧୪ ନମ୍ବର କାଉନସିଲର ଏବଂ ସମର୍ଥକ ଥିଲେ ସରୋଜିନୀ ଖୋସଲା ୧୧ ନମ୍ବର କାଉନସିଲର। ରାୟଗଡ଼ା ପୌରସଂସ୍ଥା ଉପାଧ୍ୟକ୍ଷ ପଦ ପାଇଁ ଆଜି ହେବା ନେଇ ପୌରସଂସ୍ଥା ପକ୍ଷରୁ ୨୨ ତାରିଖରୁ କାଉନସିଲର ମାନଙ୍କୁ ନୋଟିସ ଜାରି କରାଯାଇଥିଲା। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ନାମାଙ୍କନ ଦାଖଲ, ଯାଞ୍ଚ ଓ ପ୍ରତ୍ୟାହାର ପରେ ଆଜି ମତଦାନ ହୋଇଥିଲା। କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହୋଇଥିବା ବେଳେ ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ରାୟଗଡ଼ା ପୌରସଂସ୍ଥାର ତତ୍କାଳୀନ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଗତବର୍ଷ ସେପ୍ଟେମ୍ବର ୧୨ ତାରିଖରେ ୧୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିଲେ।
ସେତେବେଳେ ପୌରପାଳିକାରେ ବିଜେଡିର ୨୧, ବିଜେପିର ୨ ଓ କଂଗ୍ରେସର ଜଣେ କାଉନସିଲର ଥିଲେ। ପରବର୍ତ୍ତୀ ସମୟରେ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ହୋଇଥିଲେ ମଧ୍ୟ ଆଇନଗତ ପ୍ରକ୍ରିୟା କାରଣରୁ ଉପାଧ୍ୟକ୍ଷ ପଦକୁ ନେଇ ପରବର୍ତ୍ତୀ ପ୍ରକ୍ରିୟାରେ ବିଳମ୍ବ ଘଟିଥିଲା। ଅନାସ୍ଥା ପ୍ରସ୍ତାବ ବେଳେ ଦଳ ପକ୍ଷରୁ ହ୍ୱିପ୍ ଜାରି ହୋଇଥିବା ସତ୍ତ୍ୱେ ୧୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ମତଦାନ କରିଥିଲେ। ଅନ୍ୟ ପକ୍ଷରେ, ଅନାସ୍ଥା ପ୍ରସ୍ତାବ ସମୟରେ ଏକାଠି ଥିବା ୧୯ ଜଣ କାଉନସିଲରଙ୍କ ବିଜେଡିର କୌଣସି କାର୍ଯ୍ୟକ୍ରମରେ ଯୋଗ ନଦେଇ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ ‘ବିଜୁ ସ୍ୱାଭିମାନ ମଞ୍ଚ’ର କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଗତ ୨୦୨୪ ନିର୍ବାଚନ ସମୟରେ ବିଜେଡି ତରଫରୁ ନିଆଯାଇଥିବା ନିଷ୍ପତ୍ତି ଏବଂ ଭାସ୍କର ରାଓ ଗୋଷ୍ଠିଙ୍କୁ ବାରମ୍ବାର ଅଣଦେଖା କରିଥିବାରୁ ଶ୍ରୀ ରାଓଙ୍କ ସମେତ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଏବଂ ବହୁ ବରିଷ୍ଠ ନେତା ବିଜେଡି ଛାଡିଥିଲେ। ଆଜି ନିର୍ବାଚନ ଅଧିକାରୀ ରୂପେ ରାୟଗଡା ତହସିଲଦାର ପ୍ରିୟଦର୍ଶନୀ ସ୍ୱାଇଁ ପରିଚାଳନା କରିଥିବା ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ମୃତୟନ ହୋଇଥିଲା।
ରାୟଗଡାରୁ ନରେନ୍ଦ୍ର ନିଶାଲ ରିପୋର୍ଟ ଆପଣଙ୍କ ଖବର






