ଏ.କେ ବ୍ୟୁରୋ : ଶ୍ରାବଣ ମାସର ଶେଷ ସୋମବାର ଅବସରରେ ବୁଗୁଡ଼ା ଅଞ୍ଚଳର ପ୍ରମୁଖ ଶୈବପୀଠ ବୁଦ୍ଧଖୋଲ ଓ କୁବେରେଶ୍ୱର ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି।

ଚଳିତ ବର୍ଷ ଦଳ ଦଳ କାଉଡ଼ିଆ ଜଳଭାର ଧରି ବୋଲ୍ବମ୍ ଧ୍ୱନିରେ ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା କରିଥିଲେ।ବୁଗୁଡ଼ା ଓ ଏହାର ଆଖପାଖ ଅଞ୍ଚଳର କାଉଡ଼ିଆମାନେ ଋଷିକୁଲ୍ୟା-ବଡ଼ନଦୀର ସଙ୍ଗମସ୍ଥଳରେ ପୁରୋହିତଙ୍କ ଦ୍ୱାରା ପୂଜାପାଠ କରି ପବିତ୍ର ଜଳ ସଂଗ୍ରହ କରିଥିଲେ। ମାନସିକ ବ୍ରତ ଧାରଣ କରି ଜଳଭାର ନେଇ ସେମାନେ ହରହର ବମ୍, ବୋଲ୍ବମ୍ ଧ୍ୱନି ଦେଇ ବୁଦ୍ଧଖୋଲ ଓ କୁବେରେଶ୍ୱର ଶୈବପୀଠରେ ପହଞ୍ଚି ମହାଦେବଙ୍କ ଠାରେ ଜଳାଭିଷେକ କରିଛନ୍ତି।ସେହିପରି ସ୍ଥାନୀୟ ବାଲୁଙ୍କେଶ୍ୱର ମନ୍ଦିର ସମେତ ଗ୍ରାମାଞ୍ଚଳର କିଛି ମନ୍ଦିରରେ ମଧ୍ୟ ବହୁ ସଂଖ୍ୟକ କାଉଡ଼ିଆ ପହଞ୍ଚି ଶିବଲିଙ୍ଗରେ ଜଳାଭିଷେକ କରିଥିଲେ। ଶ୍ରାବଣ ଶେଷ ସୋମବାରକୁ ନେଇ ବିଭିନ୍ନ ଶୈବପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।






