ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ୬୩ତମ ପ୍ରତିଷ୍ଠା ଦିବସ ସମାରୋହ ଗୁରୁବାର ଦିନ ମହାବିଦ୍ୟାଳୟ ପରିସରସ୍ଥ ମଧୁସୂଦନ ଅଡିଟୋରିୟମ୍ଠାରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ପୂର୍ବାହ୍ନ ୧୧ଟାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଟାଙ୍ଗୀ-ସାଲେପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉତ୍କଳ ସାହିତ୍ୟ ସମାଜର ସଭାପତି ତଥା ବିଶିଷ୍ଟ ସାହିତ୍ୟିକ ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।
ଉତ୍ସବ ଅବସରରେ ବିଶିଷ୍ଟ ସାହିତ୍ୟିକ ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କୁ ସମ୍ମାନଜନକ ‘ମଧୁସ୍ମୃତି ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ଅନୁଷ୍ଠାନର ଅବସରପ୍ରାପ୍ତ ଅଧ୍ୟକ୍ଷ, ଅଧ୍ୟାପକ ଓ ଅଣ-ଶିକ୍ଷକ କର୍ମଚାରୀମାନଙ୍କୁ ସେମାନଙ୍କର ଗୌରବମୟ ସେବା ପାଇଁ ବିଧିବଦ୍ଧ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।

ଅତିଥିମାନଙ୍କୁ ମଞ୍ଚକୁ ସାଦର ଆମନ୍ତ୍ରଣ କରାଯାଇ ପୁଷ୍ପଗୁଚ୍ଛ ଦ୍ୱାରା ସ୍ୱାଗତ କରାଯିବା ପରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ମହାବିଦ୍ୟାଳୟ ଦ୍ଵାରା ଆୟୋଜିତ ସଙ୍ଗୀତ ଗାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପ୍ରଭା ଦେବୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କଲେଜର ଅଭିବୃଦ୍ଧି ଓ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ସମାଜବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ପ୍ରଫୁଲ୍ଲ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ରୀନା ସ୍ୱାଇଁ ସଭାର ବିବରଣୀ ପାଠ କରିଥିଲେ।
ଦର୍ଶନଶାସ୍ତ୍ର ବିଭାଗର ମୁଖ୍ୟ ଡ. ମନୀଷା ତ୍ରିପାଠୀଙ୍କ ସଂଯୋଜନାରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ସମ୍ବର୍ଦ୍ଧନା ପର୍ବ ପରିଚାଳିତ ହୋଇଥିଲା। ମୁଖ୍ୟ ଅତିଥି ଶ୍ରୀ ପ୍ରଶାନ୍ତ ବେହେରା ମହାବିଦ୍ୟାଳୟର ଗୌରବମୟ ଇତିହାସକୁ ମନେ ପକାଇବା ସହ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟ ବକ୍ତା ଡ. ଚାନ୍ଦ ଶିକ୍ଷା ସହିତ ସଂସ୍କୃତି ଓ ମୂଲ୍ୟବୋଧର ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ।
ପରିଶେଷରେ ମଧୁସୂଦନ ଲେକ୍ଚରର ସଂଯୋଜକ ଡ. ସୁଷମା ରାଣୀ କର ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଆ ବିଭାଗର ଅଧ୍ୟାପକ ଡ. ବୈଜୟନ୍ତି ନାୟକ ଓ ଡ. ସାରଦା ପ୍ରସାଦ ମହାନ୍ତି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂଯୋଜନା କରିଥିଲେ। ଏହି ଉତ୍ସବରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ସାଲେପୁରରୁ ମଣ୍ଟନ କୁମାର ବେହେରାଙ୍କ ରିପୋର୍ଟ






