ଏ.କେ ବ୍ୟୁରୋ : ଆଠଗଡ ଅଞ୍ଚଳର ଜଣେ ସୁନାମଧନ୍ୟ ଡାକ୍ତର ଲଷ୍ମୀପ୍ରସାଦ ମହାପାତ୍ର (୭୪) ଙ୍କର ସୋମବାର ସକାଳେ ପରଲୋକ ହେଇଯାଇଛି। ଡାକ୍ତର ମହାପାତ୍ର ଦୀର୍ଘ ଦିନ ହେବ ମସ୍ତିଷ୍କଘାତରେ ପୀଡ଼ିତ ଥିବା ସହିତ କଟକରେ ଚିକିତ୍ସାଧୀନ ଥିଲେ। ଡାକ୍ତର ମହାପାତ୍ର ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଏବଂ ଆଖପାଖ ଚିକିତ୍ସାଳୟରେ କାର୍ଯ୍ୟ କରିଥିଲେ।

ପରେ ପଦୋନ୍ନତି ପାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ପରଲୋକ ଖବର ପାଇ ଆଠଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ, ପୁତ୍ର, କନ୍ୟାଙ୍କ ସମେତ ଅନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ତାଙ୍କ ମରଶରୀର ଆଠଗଡ଼ ରାଜବାଟୀନଗର ବାସଭବନରେ ପହଞ୍ଚିବା ପରେ ଅନେକ ଡାକ୍ତରଙ୍କ ସହିତ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ଶେଷ ଦର୍ଶନ କରିଥିଲେ। ପୁରୀ ସ୍ୱର୍ଗଦ୍ୱାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପୁତ୍ର ନିଶାନ୍ତ ମୁଖାଗ୍ନି ଦେଇଥିଲେ।






