ଏ.କେ ବ୍ୟୁରୋ : ଆଧୁନିକ ଯୁଗରେ ଅନ୍ଧବିଶ୍ଵାସ। ଘର ଭିତରେ ଯୁବକଙ୍କୁ ବଳି। ବଳି ଦେବା ପରେ କଟାମୁଣ୍ଡକୁ ମାଟି ଭିତରେ ପୋତି ଦେଇଥିଲେ ଅଭିଯୁକ୍ତ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲା ବଗଡ଼ା ଗାଁରେ। ଆଉ ଧରାପଡ଼ିବା ପରେ ଅଭିଯୁକ୍ତ କହିଛନ୍ତି, ହଁ ହଁ ମୁଁ ବଳି ଦେଇଛି

ଆଧୁନିକ ଯୁଗରେ ଅନ୍ଧବିଶ୍ଵାସ। ଘର ଭିତରେ ଯୁବକଙ୍କୁ ବଳି। ବଳି ଦେବା ପରେ କଟାମୁଣ୍ଡକୁ ମାଟି ଭିତରେ ପୋତି ଦେଇଥିଲେ ଅଭିଯୁକ୍ତ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲା ବଗଡ଼ା ଗାଁରେ। ଆଉ ଧରାପଡ଼ିବା ପରେ ଅଭିଯୁକ୍ତ କହିଛନ୍ତି, ହଁ ହଁ ମୁଁ ବଳି ଦେଇଛି। ଅଭିଯୁକ୍ତଙ୍କ ନାଁ ଶତ୍ରୁଘ୍ନଙ୍କ ଖରସେଲ। ତାଙ୍କ ଘର ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ଗାଁରେ। ଗତ ତିନି ଦିନ ତଳେ ଟେବେଡ଼ାମୁଣ୍ଡା ଗାଁର ସନ୍ତୋଷ ଖରସେଲ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ସେ ବଗଡ଼ା ଗାଁକୁ ଆସିଥିବା ଖବର ପାଇଥିଲେ।

ସେମାନେ ବଗଡ଼ା ଗାଁକୁ ଆସି ଶତ୍ରୁଘ୍ନ ଖରସେଲର ଘରକୁ ଯାଇଥିଲେ। କିନ୍ତୁ ସେମାନଙ୍କୁ ଘର ଭିତରେ ପଶିବାକୁ ଦେଇନଥିଲେ ଶତ୍ରୁଘ୍ନଙ୍କ ପରିବାର ଲୋକେ। ଆଜି ସକାଳେ ବଗଡା ଗାଁ ନିକଟସ୍ଥ ପୋଖରୀରେ ଭାସୁଥିଲା ମୃତ ସନ୍ତୋଷଙ୍କ ମୁଣ୍ଡବିହୀନ ମୃତଦେହ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଶବକୁ ଜବତ କରିବା ସହିତ ଶତ୍ରୁଘ୍ନଙ୍କୁ ଉଠାଇ ନେଇଥିଲା ପୁଲିସ। ପଚରାଉଚରା ବେଳେ ପୁଲିସ ସମ୍ମୁଖରେ ସତ ମାନି ଯାଇଥିଲେ ଶତ୍ରୁଘ୍ନ। ନିଜେ ଘର ଭିତରକୁ ଆସି କଟାମୁଣ୍ଡକୁ ଦେଖାଇଥିଲେ। ଶତ୍ରୁଘ୍ନଙ୍କ ଘର ଭିତରେ ଏକ ସ୍ଥାନରେ ତମ୍ବା ନାଗ ସହିତ ପଥର ପୂଜା କରାଯାଇଛି। ଆଉ ତା’ ନିକଟରେ ହିଁ ପୋତାଯାଇଥିଲା ସନ୍ତୋଷଙ୍କ କଟାମୁଣ୍ଡ। ଅଭିଯୁକ୍ତ ଶତ୍ରୁଘ୍ନଙ୍କ କହିବା ଅନୁଯାୟୀ, ସିଙ୍ଗଡ଼ା ଖାଇବା ପାଇଁ କହି ସେ ସନ୍ତୋଷଙ୍କୁ ତୁଷୁରାରୁ ୫ କିଲୋମିଟର ଦୂର ନିଜ ଘରକୁ ଡାକି ଆଣିଥିଲେ। ଘର ଭିତରେ ପୂଜାପାଠ କରିବା ପରେ ବଳି ଦେଇଥିଲେ। ତା’ପରେ କଟା ମୁଣ୍ଡକୁ ପୂଜାପାଠ ସ୍ଥାନରେ ପୋତି ଦେଇଥିଲେ। ସନ୍ତୋଷଙ୍କ ମୁଣ୍ଡବିହୀନ ମୃତଦେହକୁ ସେ ତାଙ୍କ ଘରଠାରୁ ୫୦ ମିଟର ଦୂରରେ ଥିବା ପୋଖରୀରେ ଫିଙ୍ଗି ଦେଇଥିଲେ। ଶତ୍ରୁଘ୍ନ ପ୍ରଚୁର ମଦ ପିଇ ପୂଜାପାଠ କରି ଗାଁରେ ପାଗଳ ଭଳି ଘୁରି ବୁଲନ୍ତି। ଯାହା ଫଳରେ ତାଙ୍କ ସ୍ତ୍ରୀ ଓ ପୁଅ ତାଙ୍କୁ ଦଶ ବର୍ଷହେଲା ଛାଡ଼ି ଦେଇଥିବା ପରିବାର ଲୋକେ କହିଛନ୍ତି। ତଦନ୍ତ ଚାଲିଥିବାରୁ ପ୍ରତିକ୍ରିୟା ଦେଉନି ପୁଲିସ।






