ଭୁବନେଶ୍ବର,ଏ.କେ ବ୍ୟୁରୋ : ଦେଶର ଅଧାରୁ ଅଧିକ ସ୍ଥାନ ଏବେ ତାତିରେ ଜଳୁଛି। ଓଡ଼ିଶାରେ ବି ଗତ ଦୁଇ ଦିନ ହେଲା ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଗକୁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏଭଳି ସ୍ଥଳେ ଦକ୍ଷିଣ-ପଶ୍ଚିମ ମୌସୁମୀର ଶୀଘ୍ର ଆଗମନ ଖବର ସମସ୍ତଙ୍କୁ ଆଶ୍ବସ୍ତ କରୁଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୧୬ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ କହିଛି।
ସାଧାରଣତଃ ମେ’ ୨୦ରୁ ୨୨ ତାରିଖ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ପହଞ୍ଚିଥାଏ। ହେଲେ ଚଳିତ ଥର ଏହା ପାଖାପାଖି ୪ରୁ ୫ ଦିନ ପୂର୍ବରୁ ଆଣ୍ଡାମାନ ସ୍ପର୍ଶ କରୁଛି। ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।

ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତାରେ ରହିଛି। ଏହା କେତେ ଘନୀଭୂତ ହେବ ଆଗାମୀ ଦିନରେ ଜଣାପଡ଼ିବ। ଓଡ଼ିଶା ଉପକୂଳରୁ ବହୁ ଦୂରରେ ଏହି ଲଘୁଚାପ ରହିଥିବାରୁ ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ନାହିଁ। ଆସନ୍ତା ୫ ଦିନରେ ରାଜ୍ୟର ଦିନ ତାପମାତ୍ରା ବୃଦ୍ଧି ପାଇବ। ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ।
ଏଥିସହ ଅନୁଗୁଳ, ଢେଙ୍କାନାଳ, କଟକ, ପୁରୀ, ଜଗତସିଂହପୁର, ଖୋର୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବି କାଳବୈଶାଖୀ ପ୍ରଭାବ ରହିବ। ରାଜ୍ୟରେ ୧୭ ତାରିଖ ଯାଏଁ ଏହିଭଳି କାଳବୈଶାଖୀ ପ୍ରଭାବ ରହିବ। ତଥାପି ତାତି ବଢ଼ିବ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଅପରାହ୍ଣ ଆଡ଼କୁ ବର୍ଷା ବି ହୋଇପାରେ। ଦିନର ସର୍ବୋଚ୍ଚ ଦିନ ତାପମାତ୍ରା ୩୮ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିପାରେ।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






