ଏ.କେ ବ୍ୟୁରୋ : ୨୦୨୪-୨୫ ବର୍ଡର-ଗାଭାସ୍କର ଟ୍ରଫି ବିରାଟଙ୍କ କ୍ୟାରିୟରର ସବୁଠାରୁ କଠିନ ସମୟ ଥିଲା। ଅଷ୍ଟ୍ରେଲିଆ ମାଟିରେ ଯେଉଁଠି ସେ ଦିନେ ରାଜ୍ କରୁଥିଲେ, ସେଠାରେ ୯ଟି ଇନିଂସରେ ମାତ୍ର ୧୯୦ ରନ୍ କରିବା ତାଙ୍କ ଆତ୍ମବିଶ୍ୱାସକୁ ଦୋହଲାଇ ଦେଇଥିଲା । ୧୨ ମେ’ ୨୦୨୫, ଭାରତୀୟ କ୍ରିକେଟ ଇତିହାସର ଏମିତି ଏକ ତାରିଖ, ଯାହା କ୍ରିକେଟ ପ୍ରେମୀଙ୍କ ହୃଦୟରେ ସବୁଦିନ ପାଇଁ ଏକ କ୍ଷତ ହୋଇ ରହିଗଲା।

ସେଦିନ କେବଳ ଜଣେ ଖେଳାଳି ପଡ଼ିଆ ଛାଡ଼ି ନଥିଲେ, ବରଂ ଟେଷ୍ଟ କ୍ରିକେଟର ସବୁଠାରୁ ବଡ଼ ବ୍ରାଣ୍ଡ୍ ଆମ୍ବାସଡର ‘କିଙ୍ଗ’ କୋହଲି ଧଳା ଜର୍ସିକୁ ସବୁଦିନ ପାଇଁ ବାଏ ବାଏ କହିଥିଲେ । ଯେଉଁ ସମୟରେ ପ୍ରଶଂସକମାନେ ଆଶା କରିଥିଲେ ଯେ ବିରାଟ ଆଗାମୀ ଇଂଲଣ୍ଡ ଗସ୍ତରେ ନିଜର ପୁରୁଣା ଦମଦାର ଅବତାରକୁ ଫେରିବେ, ଠିକ୍ ସେତିକି ବେଳେ ତାଙ୍କର ଏହି ନିଷ୍ପତ୍ତି ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା । ଅବସରର କିଛି ଦିନ ପରେ ଆରସିବି ପଡକାଷ୍ଟରେ ବିରାଟ ଯେତେବେଳେ ମୁହଁ ଖୋଲିଲେ, ସେତେବେଳେ ସମସ୍ତେ ବୁଝିପାରିଲେ ଯେ ଏହି ନିଷ୍ପତ୍ତି କେବଳ ଖରାପ ଫର୍ମ ପାଇଁ ନଥିଲା । ବିରାଟ କହିଥିଲେ, “ମୁଁ ଏମିତି ପରିବେଶରେ ରହିବାକୁ ଚାହେଁନାହିଁ, ଯେଉଁଠି ମୋତେ ମୋର ଯୋଗ୍ୟତା ବାରମ୍ବାର ପ୍ରମାଣ କରିବାକୁ ପଡ଼ିବ।” ଏହି ଶବ୍ଦଗୁଡ଼ିକ ସିଧାସଳଖ ଭାରତୀୟ କ୍ରିକେଟର ତତ୍କାଳୀନ କୋଚ୍ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଆଡ଼କୁ ଇଙ୍ଗିତ କରୁଥିବା ପରି ମନେ ହେଉଥିଲା । ଏହି ‘ଇଗୋ’ କିମ୍ବା ‘ମାନସିକ ଦ୍ୱନ୍ଦ୍ୱ’ ହିଁ ବିରାଟଙ୍କୁ ରେଡ୍ ବଲ୍ କ୍ରିକେଟରୁ ଦୂରେଇ ଦେଇଥିଲା । ୨୦୨୪-୨୫ ବର୍ଡର-ଗାଭାସ୍କର ଟ୍ରଫି ବିରାଟଙ୍କ କ୍ୟାରିୟରର ସବୁଠାରୁ କଠିନ ସମୟ ଥିଲା। ଅଷ୍ଟ୍ରେଲିଆ ମାଟିରେ ଯେଉଁଠି ସେ ଦିନେ ରାଜ୍ କରୁଥିଲେ, ସେଠାରେ ୯ଟି ଇନିଂସରେ ମାତ୍ର ୧୯୦ ରନ୍ କରିବା ତାଙ୍କ ଆତ୍ମବିଶ୍ୱାସକୁ ଦୋହଲାଇ ଦେଇଥିଲା। ପର୍ଥ ଟେଷ୍ଟର ସେହି ଶତକଟି ତାଙ୍କ ପ୍ରତିଭାର ଶେଷ ଝଲକ ଥିଲା, କିନ୍ତୁ ବାକି ୮ଟି ଇନିଂସରେ ମାତ୍ର ୯୦ ରନ୍ ହିଁ ତାଙ୍କ ବିଦାୟର ପଥ ପରିଷ୍କାର କରିଦେଇଥିଲା।






