ରାୟଗଡ଼ା,୭/୬(ନରେନ୍ଦ୍ର ନିଶାଲ): ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଦୁନ୍ଦୁଲି ପଞ୍ଚାୟତର ରେଙ୍ଗାଲପାଡୁ ଗାଁ ନିକଟରେ ଥିବା ଖେଳ ପଡିଆ ଠାରେ ମା’ ମାଝୀଗୌରୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଦୀର୍ଘ ୧୮ ଦିନ ଧରି ଖେଳା ଯାଇଥିବା ଏହି ଟୁର୍ନାମେଣ୍ଟରେ ବିଭିନ୍ନ ସ୍ଥାନରୁ ମୋଟ ୩୨ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ୧୨ ଓଭର୍ ବିଶିଷ୍ଟ ଖେଳା ଯାଇଥିବା ଟୁର୍ନାମେଣ୍ଟର ଫାଇନାଲ ଏସ୍. ପିତେଶୁ ଓ ଅଙ୍ଗୁରୁ ଦଳ ମଧ୍ୟରେ ଖେଳା ଯାଇଥିଲା। ଏସ୍. ପିତେଶୁ ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୯୬ ରନ୍ ସଂଗ୍ରହ କରିଥିଲା। ଜବାବରେ ଅଙ୍ଗୁରୁ ଦଳ ସମସ୍ତ ଉଇକେଟ୍ ହରାଇ ୮୮ ରନ୍ ସଂଗ୍ରହ କରି ପରାଜୟ ହୋଇଥିଲା। ଏଥିରେ ଏସ୍. ପିତେଶୁ ଦଳ ବିଜୟୀ ହୋଇଥିଲା। ବିଜୟୀ ଏସ୍. ପିତେଶୁ ଦଳକୁ ୩୦ ହଜାର ଟଙ୍କା ସହ ଟ୍ରଫି ଓ ଉପବିଜେତା
ଅଙ୍ଗୁରୁ ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ଉପସ୍ଥିତ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଟୁର୍ଣ୍ଣମେଣ୍ଟର ଉଦଯାପନୀ ଅବସରରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ଵର ନାଇଡୁ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପି. ଗୌରୀ ଶଙ୍କର, ବ୍ଲକ ବିଜେଡି ସଭାପତି ଲକ୍ଷ୍ମଣ ପେଦେଣ୍ଟି, କ୍ରିଷ୍ଣାମ୍ମା ଅଟକା, ରୁକୁଧର ହିମିରିକା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଟୁର୍ନାମେଣ୍ଟ ଆୟୋଜନ କରିବା ଦ୍ୱାରା ଗୋଟିଏ ଗାଁ ସହିତ ଅନ୍ୟ ଗାଁ ମଧ୍ୟରେ ସମ୍ପର୍କ ବଢ଼ିଥାଏ ଏବଂ ଭାଇଚାରା ବଜାୟ ରଖି ଖେଳିବାକୁ ଉପସ୍ଥିତ ଅତିଥିଗଣ ଖେଳାଳିଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ବିଜେଡି କର୍ମୀ ଯୋଗେଶ ବାତ୍ରିଆ, ବୃନ୍ଦାବନ ହିମିରିକା, ରାମାରାଓ ହିମିରିକା ସମେତ ଅନ୍ୟମାନେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ମା’ ମାଝୀଗୌରୀ କ୍ରିକେଟ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଟୁର୍ନାମେଣ୍ଟକୁ ପରିଚାଳନା କରିଥିବା ବେଳେ ଫାଇନାଲ ମ୍ୟାଚ୍ ଦେଖିବାକୁ ଆଖପାଖ ଗାଁରୁ ଶତାଧିକ ଖେଳ ପ୍ରେମୀ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ।






