ଏ.କେ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ପିପଲକଟାଠାରେ “ଯୋଗ ଓ ପରିବେଶ ସୁରକ୍ଷା” ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଭବ୍ୟ ଭାବରେ ଅନୁଷ୍ଠିତ ହୋଇଯାଇଛି।’ଦୟା ସରାବନି ଯୋଗ ଟ୍ରଷ୍ଟ’ର ସମ୍ପାଦକ ତଥା ଯୋଗଗୁରୁ ଡ଼. ହୃଷୀକେଶ ଦେହେରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ ତୋଫାନ ପଧାନ ଯୋଗଦେଇ ଯୋଗାଭ୍ୟାସ ଓ ପରିବେଶ ସଂରକ୍ଷଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସୁସ୍ଥ ଶରୀର ଓ ସବୁଜ ପରିବେଶ ପରସ୍ପର ପରିପୂରକ ଏବଂ ସଚେତନ ସମାଜ ଗଠନ ପାଇଁ ଉଭୟର ସୁରକ୍ଷା ଅତ୍ୟନ୍ତ ଜରୁରୀ।

ସମ୍ମାନିତ ଅତିଥି ଶିକ୍ଷୟିତ୍ରୀ ସୌଦାମିନୀ ସେଠୀ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ଯୋଗାଭ୍ୟାସ କରିବା ସହ ପ୍ରକୃତି ପ୍ରତି ଦାୟିତ୍ୱବୋଧ ରଖିବାକୁ ଆହ୍ୱାନ କରିଥିଲେ।ଯୋଗଗୁରୁ ଡ଼. ହୃଷୀକେଶ ଦେହେରୀ ଯୋଗର ବୈଜ୍ଞାନିକ ଉପକାରିତା, ସୁସ୍ଥ ଜୀବନଶୈଳୀ ଏବଂ ବୃକ୍ଷରୋପଣ, ପ୍ଲାଷ୍ଟିକ ବର୍ଜନ ତଥା ପରିବେଶ ସୁରକ୍ଷାରେ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଭୂମିକା ସମ୍ପର୍କରେ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଯୋଗାଭ୍ୟାସରେ ଅଂଶଗ୍ରହଣ କରିବା ସହ ପରିବେଶ ସୁରକ୍ଷାର ଶପଥ ଗ୍ରହଣ କରିଥିଲେ।ଶେଷରେ ଆଶାକର୍ମୀ ମୈଥିଳୀ ବାରିକ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଅଭିଭାବକମାନଙ୍କୁ ଧନ୍ୟବାଦ ଜଣାଇ ସଭାର ସମାପ୍ତି ଘୋଷଣା କରିଥିଲେ।






