କେନ୍ଦୁଝର, ୨୮/୭: ( ) ଗ୍ରାମାଞ୍ଚଳର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ମାଛ ଚାଷକୁ ଲାଭଜନକ ଜୀବିକାରେ ପରିଣତ କରିବା ଲକ୍ଷ୍ୟରେ ଏଚଡିଏଫସି ବ୍ୟାଙ୍କ୍ ଙ୍କ ଆର୍ଥିକ ସହଯୋଗ ଏବଂ ଗ୍ରାମ ବିକାଶଙ୍କ ବୈଷୟିକ ସହଯୋଗରେ କେନ୍ଦୁଝର ଜିଲ୍ଲାର ସଦର ଓ ପାଟଣା ବ୍ଲକର ୨୦ଟି ଗ୍ରାମରେ କାର୍ଯ୍ୟକାରୀ ସାମଗ୍ରିକ ଗ୍ରାମୀଣ ବିକାଶ ପରିଯୋଜନା ଅଧୀନରେ ସୋମବାର ରାଇକଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାଛ ଚାଷ ସମ୍ବନ୍ଧୀୟ ଏକ ବ୍ୟାପକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ରାଇକଳା, କାଠ ବାଉଁଶୁଳି, ସଣ୍ଢିଆପଶି ଓ ସାରିଆପଶି ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏଥିରେ ଯୋଗଦେଇ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ସମ୍ପର୍କରେ ବ୍ୟବହାରିକ ଜ୍ଞାନ ହାସଲ କରିଥିଲେ।

ଝୁମ୍ପୁରା ସରକାରୀ ମାଛ ଉତ୍ପାଦନ ଫାର୍ମର ଫାର୍ମ ପରିଚାଳକ ବିଶ୍ୱନାଥ ନାୟକ ମୁଖ୍ୟ ତାଲିମଦାତା ଭାବେ ଯୋଗଦେଇ ପୋଖରୀ ପ୍ରସ୍ତୁତି, ଉନ୍ନତମାନର ଜାଆଁଳା ଚୟନ, ମାଟି ଓ ପାଣି ପରୀକ୍ଷା, ପିଏଚ୍ ସନ୍ତୁଳନ, ଚୂନ ପ୍ରୟୋଗ, ରୋଗ ପରିଚାଳନା ଏବଂ ମାଛର ସଠିକ୍ ଖାଦ୍ୟ ବ୍ୟବସ୍ଥାପନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ବଜାରରେ ଉପଲବ୍ଧ ସାମଗ୍ରୀ ବ୍ୟବହାର କରି କମ୍ ଖର୍ଚ୍ଚରେ ଘରୋଇ ପଦ୍ଧତିରେ ମାଛ ଖାଦ୍ୟ ପ୍ରସ୍ତୁତ କରି ଲାଭ ବୃଦ୍ଧି କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।
ତାଲିମ ସମୟରେ ଉପସ୍ଥିତ ମହିଳାମାନେ ମାଛ ଚାଷ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଉଠାଇଥିବାବେଳେ ତାଲିମଦାତା ସେଗୁଡ଼ିକର ସରଳ ଓ ବ୍ୟବହାରିକ ସମାଧାନ ପ୍ରଦାନ କରିଥିଲେ।
ଏହି ତାଲିମ ମହିଳାମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଓ ଆର୍ଥିକ ସ୍ୱାବଲମ୍ବନ ଦିଗରେ ଆଗେଇ ନେବ ବୋଲି ଆଶା ପ୍ରକାଶ ପାଇଛି।
ବିଷୟଗତ ସଂଯୋଜକ ଗିରିଜା ଶଙ୍କର ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଗ୍ରାମ ସଂଯୋଜକ ସାନିଆ ଚୌଧୁରୀ ଓ ଅଜିତ କୁମାର ଆରୁକ ସହଯୋଗ କରିଥିଲେ।






