ଏ. କେ ବ୍ୟୁରୋ :ଶିଶୁଭବନରେ ଗ୍ୟାଷ୍ଟ୍ରିକ୍ ପୁଲ୍ଅପ୍ ଅସ୍ତ୍ରୋପଚାର ୨ ବର୍ଷର ଶିଶୁ ପାଇଲା ନୂତନ ଜୀବନ
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁରୋଗ ପ୍ରତିଷ୍ଠାନ (ଶିଶୁଭବନ) ରେ ଗ୍ୟାଷ୍ଟ୍ରିକ୍ ପୁଲ୍ ଅପ୍ ନାମକ ଜଟିଳ ଅସ୍ତ୍ରୋପଚାର ସଫଳ ହୋଇଛି । ପାକସ୍ଥଳୀକୁ ଉପରକୁ ଟାଣି ଖାଦ୍ୟନଳୀ ସହ ଯୋଡ଼ାଯାଇ ଏହି ଅସ୍ତ୍ରୋପଚାର କରାଯାଇଛି । ଜଣେ ଦୁଇ ବର୍ଷ ବୟସର ଶିଶୁଟି ପିଓର ଇସୋଫାଗସ୍ ଏଟ୍ରିସିଆ ରୋଗରେ ଜନ୍ମରୁ ପୀଡ଼ିତ ଥିଲା । ଶିଶୁଟିର ଖାଦ୍ୟନଳୀ ସମ୍ପୂର୍ଣ୍ଣ ଭାବେ ନଥିଲା ।
ହୃଦରୋଗ ସହ ସେରିବ୍ରାଲ ପାଲ୍ସି ରୋଗ ରହିଥିଲା । ଖାଦ୍ୟନଳୀକୁ ଛାତି ବାଟ ଦେଇ ଟଣାଯାଇ ଯୋଡ଼ା ଯାଇଛି । ଶିଶୁଟି ଖାଦ୍ୟ ଖାଇବାରେ ସମସ୍ୟା ରହୁଥିବାବେଳେ ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇଛି । ଜୁନ ୨୨ରେ ଅସ୍ତ୍ରୋପଚାର କରାଯାଇଥିବା ଉକ୍ତ ଶିଶୁକୁ ମେଡିକାଲରୁ ଡିସଚାର୍ଜ କରାଯାଇଛି ।ଗଞ୍ଜାମ ଜିଲ୍ଲା କୁମୁଣ୍ଡା ଗ୍ରାମର ୨ ବର୍ଷ ୪ ମାସର ଶିଶୁ କନ୍ୟାର ଛାତିରେ ଖାଦ୍ୟନଳୀ ନଥିବାରୁ କିଛି ମାସ ପୂର୍ବେ ପ୍ରଥମେ ଅସ୍ତ୍ରୋପଚାର କରାଯାଇ ପେଟ ବାଟେ ନଳୀ ଲଗାଯାଇ ଖାଦ୍ୟ ଦିଆଯାଉଥିଲା । ଏହି ଅସ୍ତ୍ରୋପଚାର ଯୋଗେ ଖାଦ୍ୟନଳୀକୁ ଟଣାଯାଇ ଯୋଡ଼ା ଯାଇଛି । ବହୁତ କମ୍ ଶିଶୁଙ୍କ ଶରୀରରେ ଏପରି ସମସ୍ୟା ଦେଖିବାକୁ ମିଳିଥାଏ । ୭ ଘଣ୍ଟାର ଏହି ଅସ୍ତ୍ରୋପଚାରରେ ଶଲ୍ୟ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ପ୍ରଶାନ୍ତ କୁମାର ତ୍ରିପାଠୀ, ଡା. ଅବିନାଶ ପଣ୍ଡା, ଡା. ସୁବାସ ଚନ୍ଦ୍ର ସୁବୁଦ୍ଧି, ଡା. କିରଣ କୁମାର କର, ଡା. ଦେବବ୍ରତ ପଣ୍ଡା, ଡା. ବିଜୟ ମେହେର ନିୟୋଜିତ ରହିଥିଲେ।






