ଏ.କେ ବ୍ୟୁରୋ : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ଉଚ୍ଚ ବିଦ୍ୟାଳୟର ଆବାସିକ ହଷ୍ଟେଲରେ ବରିଷ୍ଠ ଛାତ୍ରମାନଙ୍କ ଦ୍ୱାରା କନିଷ୍ଠ ଛାତ୍ରମାନଙ୍କୁ ଅମାନବିକ ଭାବେ ମାଡ଼ ମରାଯାଉଥିବା ଏକ ଭିଡିଓ ସାମ୍ନାକୁ ଆସିବା ପରେ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଶୃଙ୍ଖଳାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଭିଡିଓରେ ଦଶମ ଶ୍ରେଣୀର ଜଣେ ଛାତ୍ର ନଡ଼ିଆ ବାହୁଙ୍ଗା ଓ ବାଡ଼ି ସାହାଯ୍ୟରେ ନବମ ଶ୍ରେଣୀର ୨୦ରୁ ଅଧିକ ହଷ୍ଟେଲ ଅନ୍ତେବାସୀ ଛାତ୍ରଙ୍କୁ ମାଡ଼ ମାରୁଥିବା ଦେଖାଯାଇଛି। ଏହି ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ସୂଚନା ଅନୁଯାୟୀ, ଘଟଣାଟି ରବିବାର ରାତିରେ ହଷ୍ଟେଲ ପରିସରରେ ଘଟିଥିବା ଜଣାପଡିଛି। ନବମ ଶ୍ରେଣୀର କିଛି ଛାତ୍ର ସମ୍ପୃକ୍ତ ଦଶମ ଶ୍ରେଣୀର ଛାତ୍ର ଏବଂ ତାଙ୍କର କିଛି ସହପାଠୀଙ୍କ ବିରୋଧରେ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଶିକ୍ଷକ ସମ୍ପୃକ୍ତ ଛାତ୍ରଙ୍କୁ ତାଗିଦ କରିଥିବା କୁହାଯାଉଛି। ଏହି ଘଟଣାକୁ କେନ୍ଦ୍ର କରି ଉତ୍ତେଜିତ ହୋଇ ସମ୍ପୃକ୍ତ ଛାତ୍ର ନିଜର କିଛି ସହପାଠୀଙ୍କ ସହ ମିଶି ନବମ ଶ୍ରେଣୀର ଅନ୍ତେବାସୀଙ୍କୁ ଅମାନବିକ ଭାବେ ପ୍ରହାର କରିଥିବା ଅଭିଯୋଗ ହୋଇଛି। ଘଟଣାର ଦୁଇ ଦିନ ପରେ ଏହାର ଭିଡିଓ ସାମ୍ନାକୁ ଆସିବା ସହ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହୋଇଥିଲା।

ଘଟଣା ସମ୍ପର୍କରେ ବିଦ୍ୟାଳୟର ହଷ୍ଟେଲ ଦାୟିତ୍ୱରେ ଥିବା ଡମ୍ବରୁଧର ତ୍ରିପାଠୀ କହିଛନ୍ତି ଯେ, ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି। ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯିବା ସହ ଥାନାରେ ଏକ ଏଫଆଇଆର୍ ମଧ୍ୟ ଦାଖଲ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଛାତ୍ରମାନଙ୍କ ଭୂମିକା ନେଇ ମଧ୍ୟ ତଦନ୍ତ ଚାଲିଥିବା ଜଣାପଡ଼ିଛି। ଘଟଣାର ଖବର ପାଇ କୋଲନରା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ମୁଣ୍ଡ ବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ କୋଲନରା ଡବ୍ଲ୍ୟୁଇଓଙ୍କୁ ତୁରନ୍ତ ତଦନ୍ତ କରି ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷିତ ପରିବେଶ ସୃଷ୍ଟି ହୋଇଛି। ଅଭିଭାବକମାନେ ମଧ୍ୟ ଏଭଳି ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ହଷ୍ଟେଲରେ ରାତି ସମୟରେ ତଦାରଖ ବ୍ୟବସ୍ଥା କେତେ ସୁଦୃଢ଼ ଥିଲା, ଘଟଣା ସମୟରେ ଦାୟିତ୍ୱରେ ଥିବା କର୍ମଚାରୀ କେଉଁଠି ଥିଲେ ଏବଂ ସୁରକ୍ଷା ବ୍ୟବସ୍ଥାରେ କୌଣସି ଅବହେଳା ହୋଇଛି କି ନାହିଁ, ସେନେଇ ବିଭାଗୀୟ ତଦନ୍ତ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ। ଏହି ଘଟଣା ଆବାସିକ ବିଦ୍ୟାଳୟଗୁଡ଼ିକରେ ରାଗିଂ, ଛାତ୍ର ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାର ଆବଶ୍ୟକତାକୁ ପୁଣିଥରେ ସାମ୍ନାକୁ ଆଣିଛି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକ ମାନେ ଦାବି କରିଛନ୍ତି।






