ଏ.କେ ବ୍ୟୁରୋ : ପାଳଲହଡ଼ା ବ୍ଲକ୍ ଝାରବେଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବରୁ ଛାତ୍ର ଛାତ୍ରୀଙ୍କୁ ଉପଯୁକ୍ତ ଶିକ୍ଷାଦାନ ବ୍ୟାହତ ହୋଇଛି। ଶ୍ରେଣୀଗୃହ ଅଭାବରୁ କୋମଳମତି ଛାତ୍ରଛାତ୍ରୀ ବାରଣ୍ଡାରେ ବସୁଛନ୍ତି । ବର୍ଷା ହେଲେ ଜାଗା ନ ଥିବାରୁ ମଧ୍ୟାହ୍ନଭୋଜନ ଖାଇବାରେ ଅସୁବିଧା ଭୋଗୁଛତି ପିଲା ପ୍ରଶାସନ ଗୁରୁତ୍ବ ବୁଝି ପଦକ୍ଷେପ ନେବାକୁ ଅଭିଭାବକ ମହଲରୁ ଦାବି ବାରଣ୍ଡାରେ ବସିବା ସମ୍ଭବ ନଥିବାରୁ ପାଠପଢ଼ା ବନ୍ଦ ରହୁଛି । ସ୍କୁଲର ଯବତୀୟ ସମସ୍ୟା ନେଇ ଅଭିଭାବକ ମହଲରୁ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ, ୧୯୬୭ ମସିହାରେ ଏହି ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୪୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ୬ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି। ସ୍କୁଲରେ ମାତ୍ର ପାଞ୍ଚଟି ଶ୍ରେଣୀ ଗୃହ ରହିଛି । ଦୁଇଟି ଛାତଘର ହୋଇଥିବା ବେଳେ ଅନ୍ୟ ୩ଟି ଶ୍ରେଣୀଗୃହ ଟାଇଲ୍ ଛପର । ୯ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୫ଟି ଶ୍ରେଣୀଗୃହ । ତେଣୁ ଶିଶୁବାଟିକା ସମେତ କିଛି ଶ୍ରେଣୀର ଛାତ୍ରଛାତ୍ରୀ ବାରଣ୍ଡାରେ ପାଠ ପଢୁଛନ୍ତି। ବର୍ଷା ହେଲେ ପାଠପଢ଼ାରେ ବାଧା ସୃଷ୍ଟି ହେଉଥିବା
ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ସେହିପରି ମଧ୍ୟାହ୍ନ ଭୋଜନ ପାଇଁ ସ୍ଥାନ ନଥୁବାରୁ ବର୍ଷା ସମୟରେ ଛାତ୍ର ଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏ ବିଷୟରେ ପ୍ରଧାନଶିକ୍ଷକ ଓ ଅଭିଭାବକ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନଥିବା ପ୍ରକାଶ କରିଛନ୍ତି। ପୁରୁଣା ଗଇଲ ଛପର ଘର ବି ରକ୍ଷଣାବେକ୍ଷଣ ଅଭାବରୁ ବିପଦସଂକୁଳ ଅବସ୍ଥାରେ ରହିଛି। ସାମାନ୍ୟ ବର୍ଷା ହେଲେ ପାଣି ଗଳି ବହି ପତ୍ର ଓଦା ହୋଇଯାଉଛି। ଘରର କାଠ ସବୁ ଭଲ ଲାଗିଥିବାରୁ କେତେବେଳେ ବି କୌଣସି ଅଘଟଣ ଘଟିବାର ଆଶଙ୍କା ରହିଛି ବୋଲି ଅଭିଭାବକ ପ୍ରକାଶ କରିଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ନଦେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଅଭିଭାବକ ମହଲରୁ ଚେତାବନୀ ଦିଆଯାଇଛି। ଅନୁଗୋଳ ରୁ ଶ୍ୟାମଘନ ନାଏକ ଙ୍କ ରିପୋର୍ଟ ଆପଣ ଙ୍କ ଖବର






